ବିଚ୍ ରାସ୍ତାରେ କଙ୍ଗାରୁ କୋର୍ଟ ! ଯୁବକଙ୍କ ପ୍ୟାଣ୍ଟ୍ ଖୋଲି କଲେ ଉଠବସ୍
9/12/2020 at 9:20 AM

ଉଦଳା ୯।୧୨: ଉଦଳାରେ କଙ୍ଗାରୁ କୋର୍ଟ । ଜନଗହଳିପୂର୍ଣ୍ଣ ସ୍ଥାନରେ ଶହ ଶହ ଲୋକଙ୍କ ସାମ୍ନାରେ ଯୁବକଙ୍କ ପ୍ୟାଣ୍ଟ ଖୋଲି କାନ ଧରି ଉଠବସ କରାଯାଇଛି । ଯାହାର ଭିଡିଓ ଏବେ ଭାଇରାଲ୍ ହୋଇଛି ।
ଜଣେ ଯୁବକଙ୍କୁ ଅନ୍ୟ ଜଣେ ଯୁବକ ଏବଂ କିଛି ସ୍ଥାନୀୟ ଲୋକେ ବିଚ୍ ରାସ୍ତାରେ ମାଡ ମାରିବା ସହିତ ତାଙ୍କ ପ୍ୟାଣ୍ଟ ଖୋଲା କରାଇଥିଲେ । ଏହା ସହିତ ପ୍ୟାଣ୍ଟ ଖୋଲି ରାସ୍ତା ମଝିରେ କାନଧରି ଉଠବସ୍ କରାଇଛନ୍ତି ସ୍ଥାନୀୟ ଯୁବକ । ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ତେବେ ଭିଡିଓରୁ ଘଟଣାଟି ଉଦଳାର ବୋଲି ଜଣାଯାଇଛି ।
ଉଦଳା-ବାରିପଦା ମୁଖ୍ୟ ରାସ୍ତାର ମଧୁମଗ୍ନା ଲଜ୍ ନିକଟରେ ରାଜ୍ୟ ରାଜପଥରେ ଘଟିଛି ଏଭଳି ଘଟଣା । କେବଳ ପ୍ୟାଣ୍ଟ ଖୋଲି ଉଠବସ୍ କରାଯାଇନାହିଁ ବରଂ ଯୁବକ ଜଣକୁ ନିସ୍ତୁକ ମାଡ ମଧ୍ୟ ପୂର୍ବରୁ ମରାଯାଇଛି । ତେବେ ମୋବାଇଲରେ ଫଟୋ ଦିଆନିଆକୁ ନେଇ ଏପରି ତୁମୁଳକାଣ୍ଡ ହୋଇଥିବା ଜଣାଯାଇଛି । ମାଡ ଖାଇଥିବା ଯୁବକ ଜଣଙ୍କର ଘର ବାଣପୁର ଅଞ୍ଚଳର ହୋଇଥିବା ବେଳେ ସେ ବାଲେଶ୍ବରରେ ରହି କାର୍ଯ୍ୟ କରନ୍ତି । ମାଡ ମାରିଥିବା ଏବଂ ରାସ୍ତାରେ ପ୍ୟାଣ୍ଟ ଓହ୍ଲାଇବାକୁ ବାଧ୍ୟ କରୁଥିବା ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ।
ତେବେ ଯୁବକ ଜଣଙ୍କୁ ବିଚ୍ ରାସ୍ତାରେ ପ୍ୟାଣ୍ଟ ଖୋଲା କରାଇ ଉଠବସ୍ କରାଇବା ସହିତ ଜୀବନରେ କବେ ଉଦଳା ନ ଆସିବାକୁ ଧମକ ମଧ୍ୟ ଦିଆଯାଉଛି । ଏହା ସହିତ ଉଠବସ ଭିଡିଓ ସୁଟିଂ କରିବାକୁ ସ୍ଥାନୀୟ ଯୁବକ ଜଣଙ୍କ କହୁଥିବା ବେଳେ ତାହାର ଭିଡିଓ ବାଣପୁର ଗ୍ରୁପରେ ପଠାଇବେ ବୋଲି ମଧ୍ୟ କହୁଛନ୍ତି । ଏପରିକି ଖବର ପାଇ ପୋଲିସ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଯୁବକ ଜଣଙ୍କ ପୋଲିସ ସାମ୍ନାରେ ମଧ୍ୟ କାନ ଧରିଥିବା ଦେଖିବାକୁ ମିଳୁଛି ।