ବିବାହିତା ମହିଳାଙ୍କୁ ଦ୍ୱିତୀୟ ବିବାହ କରିବା ଯୋଗୁଁ ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ପୂର୍ବ ଶ୍ୱଶୁର ଘରଲୋକେ

Published By : Prameya-News7 Bureau | December 04, 2018 IST

ସୀତାମଢି ୪/୧୨ : ପ୍ରଥମ ସ୍ତ୍ରୀ ଥାଉ ଥାଉ ଆଉ ଜଣେ ବିବାହିତା ମହିଳାଙ୍କୁ ବିବାହ କରିବାରୁ ଯୁବକଙ୍କୁ ହତ୍ୟା କରିଦେଇଥିବା ଅଭିଯୋଗ ଆସିଛି | ବିହାରର ସୀତାମଢି ଜିଲ୍ଲାର ଓରଲହିଆରୁ ଘଟିଛି ଏଭଳି ଘଟଣା | ରବିବାର ଦିନ ଜଣେ ୨୫ ବର୍ଷ ବୟସ୍କ ଯୁବକଙ୍କୁ କିଛି ଲୋକେ ନିରଧୂମ ପିଟିଥିଲେ | ମାଡ ଖାଇ ଯୁବକ ଚେତାଶୂନ୍ୟ ହୋଇଯିବା ପରେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ଉତ୍ୟକ୍ତ ଲୋକେ | ଘଟଣାରେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି | ମୃତ ଯୁବକ ହେଲେ ଶ୍ରବଣ ମହତୋ | ସୂଚନାଯୋଗ୍ୟ ଯେ, ଏହି ବର୍ଷ ଏପ୍ରିଲ ମାସରେ ଶ୍ରବଣ ନିଜ ପ୍ରଥମ ସ୍ତ୍ରୀକୁ ଛାଡ଼ିଦେଇ ଦୁଖିଆ ନାମକ ଜଣେ ବିବାହିତା ମହିଳାଙ୍କୁ ବିବାହ କରିଥିଲେ | ତେବେ ମହିଳାଙ୍କୁ ବିବାହ କରିବା ପାଇଁ ଗାଁଲୋକେ ବାରଣ କରିଥିଲେ | କିନ୍ତୁ ଲୋକଙ୍କ ବାରଣ ସତ୍ୱେ ଶ୍ରବଣ ସେହି ମହିଳାଙ୍କୁ ବିବାହ କରିଥିଲେ | ଗାଁଲୋକେ ରାଗିଥିବା ଜାଣି ପୁଅ ବୋହୁ ସମେତ ସମସ୍ତ ପରିବାର ବାହାଘର ପରେ ଗାଁ ଛାଡି ପଳାଇଥିଲେ | କିନ୍ତୁ ଅକ୍ଟୋବର ମାସରେ ଶ୍ରବଣ ଏବଂ ଦୁଖିଆ ପୁଣି ନିଜ ଗାଁକୁ ଫେରିଥିଲେ | ଗତ ଦୁଇ ମାସ ହେଲା ସବୁ ଠିକ ଚାଲିଥିଲା | କିନ୍ତୁ ରବିବାର ଦିନ ଦୁଖିଆଙ୍କ ପୂର୍ବ ସ୍ୱାମୀ ଘରଲୋକ କିଛି ଅପରାଧୀଙ୍କୁ ପଠାଇ ଶ୍ରବଣ ଉପରେ ଆକ୍ରମଣ କରାଇଥିଲେ | ସେମାନେ ଆସି ଶ୍ରବଣଙ୍କୁ ନିରଧୂମ ମାଡ ମାରିଥିଲେ | ମାଡ ଖାଇ ଶ୍ରବଣ ଚେତାଶୂନ୍ୟ ହୋଇଯିବା ପରେ ସେମାନେ ଶ୍ରବଣଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ | ଏନେଇ ଶ୍ରବଣଙ୍କ ଭାଇ ସାହିୱାର ଥାନାରେ ୧୫ ଜଣଙ୍କ ବିରୋଧରେ ଏତଲା ଦେଇଛନ୍ତି | ପୋଲିସ କହିଛି ଯେ, ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ଫେରାର ଅଛନ୍ତି | ତେବେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ଥାନାରେ ଚଢ଼ାଉ କରୁଛି | ପୋଲିସ ସୂତ୍ରରୁ ଜଣାପଡିଛି ଯେ, ଶ୍ରବଣ ଆଉ ଦୁଖିଆଙ୍କ ବାହାଘର ପରେ ଦୁଖିଆଙ୍କ ପୂର୍ବ ଶ୍ୱଶୁର ଅଭିଯୋଗ କରିଥିଲେ ଯେ, ଶ୍ରବଣ ତାଙ୍କ ବୋହୁ ଦୁଖିଆକୁ କିଡନାପ କରିନେଇଛି | ହତ୍ୟା ପୂର୍ବରୁ ମଧ୍ୟ ଦୁଖିଆଙ୍କ ଶ୍ୱଶୁର ଲୋକ ଲଗେଇ ତାଙ୍କୁ କିଡନାପ କରିବା ପାଇଁ ଚେଷ୍ଟା କରିଥିଲେ | କିନ୍ତୁ ଗାଁଲୋକେ ସେମାନଙ୍କୁ ଏଭଳି କରିବାକୁ ବାଧା ଦେଇଥିଲେ | ଫଳରେ ସେମାନେ ଫେରି ଯାଇଥିଲେ | ପୁଣି ରବିବାର କିଛି ଅପରାଧୀଙ୍କୁ ପଠାଇ ଏଭଳି କାଣ୍ଡ ଘଟେଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.