ଟ୍ରେନ୍ ଆଗକୁ ଡେଇଁବା ବେଳେ ଯୁବତୀଙ୍କୁ ଉଦ୍ଧାର କଲେ ଯୁବକ, ଜିଦ୍ ଧରିବାରୁ ଶେଷରେ ହେଲା ବିବାହ

Published By : Prameya-News7 Bureau | April 12, 2021 IST

ସୋର ୧୨।୪: ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିବାକୁ ଆସିଥିଲେ ଯୁବତୀ । ଉଦ୍ଧାର କରି ଜୀବନସାଥୀ କଲେ ଯୁବକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ । ଘଟଣାଟି ଚଳଚ୍ଚିତ୍ରର କାହାଣୀ ପରି ଲାଗୁଥିଲେ ବି ସତ । ହୀନ୍ଦି ଚଳଚ୍ଚିତ୍ର କୁଆଁରାରେ ଅଭିନେତା ଗୋବିନ୍ଦା ଜଣେ ଯୁବତୀଙ୍କୁ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଉଦ୍ଧାର କରିଥିଲେ । ଯୁବତୀଙ୍କ ମିଛି ମିଛିକା ସ୍ବାମୀର ଅଭିନୟ ମଧ୍ୟ କରିଥିଲେ । ମାତ୍ର ଏଠି କିନ୍ତୁ ହୋଇଛି ଓଲାଟ ।  ଯୁବକ ଜଣଙ୍କ ଯୁବତୀକୁ ଟ୍ରେନ୍ ଲାଇନରୁ ଉଦ୍ଧାର କରି ଯୁବତୀଙ୍କ ଜୀବନ ବଞ୍ଚାଇ ତାଙ୍କୁ ଜୀବନସାଥୀ କରିଛନ୍ତି ।  ଯୁବତୀ ଜଣଙ୍କ ଉଚ୍ଚ ଜାତିରେ ହୋଇ ମଧ୍ୟ  ଜଣେ ଅସବର୍ଣ୍ଣ ଜାତିର ଯୁବକଙ୍କୁ ବିବାହ କରି ସଂସାର ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସୋର ବ୍ଲକ୍ ବାଳଙ୍ଗ ପଞ୍ଚାୟତ ପନଦା ଅଞ୍ଚଳର ଜଣେ ଯୁବତୀ ତପସ୍ବିନୀ ବିବାହକୁ ନେଇ ଘରୋଇ କଳିରୁ ଆତ୍ମହତ୍ୟା କରିବା ପାଇଁ ନିଜ ଘରଠାରୁ ୭ କି.ମି. ଦୂର ମୁଳିସିଂ ଲେବଲକ୍ରସିଂ ଗେଟ୍ ନିକଟରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ବେଳେ କିଛି ଲୋକ ଯୁବତୀଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିଲେ ।  ସେହି ବାଟ ଦେଇ କେଦାରପୁର ଅଞ୍ଚଳର ଜଣେ ଯୁବକ ଯାଉଥିବା ବେଳେ ଯୁବତୀ ଜଣକୁ ଟ୍ରେନ୍ ଆଗରୁ ଉଦ୍ଧାର କରିଥିଲେ ।  ଯୁବକ ଜଣଙ୍କ ତାଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରିଥିବାରୁ ତାଙ୍କୁ ବିବାହ କରିବାକୁ ଜିଦ୍ ଧରିଥିଲେ ଯୁବତୀ । ନେହେଲେ ପୁଣି ସେ ଆତ୍ମହତ୍ୟା କରିବେ ବୋଲି କହିଥିଲେ । ଯୁବକ ଜଣଙ୍କ ଅସବର୍ଣ୍ଣ ଜାତି ବୋଲି ଯୁବତୀଙ୍କୁ ଜଣାଇବା ପରେ ଯୁବତୀ ଜଣଙ୍କ ଜାତିଗୋତ୍ର ଭେଦ ଭାବକୁ ଭୁଲି ବିବାହ କରିବାକୁ ନିଜ ଜିଦ୍ ରେ ଅଟଳ ରହିଥିଲେ ।  ଫଳରେ ଯୁବକ ଜଣଙ୍କ ଯୁବତୀଙ୍କୁ ନିଜ ଘରକୁ ଆଣିବା ପରେ ଉଭୟ ପରିବାର ଓ ଭଦ୍ରଲୋକଙ୍କ ଉପସ୍ଥିତିରେ ଉଭୟ ବିବାହ କରିବାକୁ ରାଜି ହେବା ପରେ ଗତକାଲି ସୋର ସ୍ଥିତ କ୍ଷେମେଶ୍ବର ମନ୍ଦିରରେ ଉଭୟଙ୍କ ବିବାହ ବୈଦିକ ରୀତି ନୀତିରେ ଅନୁଷ୍ଠିତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.