ଚେନ୍ନାଇରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା, ବାହା ହେବାକୁ ମନା କରିବାରୁ ସଇତାନ ପାଲଟିଲା ଗାଁ ପାଖର ଯୁବକ
24/01/2020 at 4:36 PM

ଭୁବନେଶ୍ୱର ୨୪.୦୧- ଚେନ୍ନାଇରେ ଜଣେ ଓଡ଼ିଆ ଯୁବତୀଙ୍କୁ ନୃଶଂସ ଭାବେ ହତ୍ୟା ଘଟଣାରେ ସାମ୍ନାକୁ ଆସିଛି ସାଂଘାତିକ ସୂଚନା । ଯୁବତୀଙ୍କୁ ତାଙ୍କର ପରିଚିତ ତଥା ଦୀର୍ଘଦିନ ଧରି ଏକତରଫା ପ୍ରେମ କରୁଥିବା ଜଣେ ଓଡିଆ ଯୁବକ ହତ୍ୟା କରିଛି । ହତ୍ୟା କରିବା ପୂର୍ବରୁ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା ମଧ୍ୟ ସନ୍ଦେହ କରାଯାଉଛି । ଘଟଣାଟି ଗତ ୨୧ ତାରିଖରେ ଘଟିଛି ।ମୃତ ଯୁବତୀ ଜଣକ ଜଣେ ଅଟୋମୋବାଇଲ ଇଂଜିନିୟର ଥିଲେ ଓ ତାଙ୍କ ଘର କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଅଞ୍ଚଳରେ ।ତାଙ୍କୁ ହତ୍ୟା କରିଥିବା ଯୁବକ ଜଣକ ସେହି ବ୍ଲକ୍ର ଏବଂ ପାଖ ଗାଁର ବାସିନ୍ଦା । ସିସିଟିଭି ଫୁଟେଜ ଆଧାରରେ ହତ୍ୟାକାରୀ ସଂପର୍କରେ ପୋଲିସ ସୁରାକ ପାଇଛି ।ତେବେ ଖବର ଲେଖାହେବା ସୁଦ୍ଧା ହତ୍ୟାକାରୀ ଧରାପଡିନଥିବା ଜଣାଯାଇଛି ।
ଖବରରୁ ପ୍ରକାଶ, ନିଶ୍ଚିନ୍ତ କୋଇଲି ଅଞ୍ଚଳର ୨୧ ବର୍ଷୀୟା ଯୁବତୀ ଜଣକ ଚେନ୍ନାଇ ସ୍ଥିତ ରୟାଲ ଏନଫିଲ୍ଡ କମ୍ପାନୀରେ ଅଟୋମୋବାଇଲ ଇଂଜିନିୟର ଭାବେ କାର୍ଯ୍ୟକରୁଥିଲେ। ସେ ସେଠାରେ ତାଙ୍କର ଜଣେ ବାନ୍ଧବୀଙ୍କ ସହ ଭଡ଼ାଘର ନେଇ ରହୁଥିଲେ ।ତେବେ ଯୁବତୀ ଜଣକୁ ଦୀର୍ଘଦିନ ଧରି ଏକପାଖିଆ ପ୍ରେମ କରୁଥିଲେ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଗୋପପୁର ଗାଁର ମାନସ ସାହୁ । ସ୍କୁଲ ସମୟରୁ ସେ ଚଳାଇଥିଲେ ତାଙ୍କ କାରନାମା ।ବାରମ୍ବାର ଯୁବତୀ ଜଣକୁ ଫୋନ୍ କରି ସେ ପ୍ରେମ ନିବେଦନ କରିବା ସହ ତାଙ୍କୁ ବିବାହ କରିବାକୁ ଧମକ ଚମକ ଦେଉଥିଲା । ତେବେ ୧୪ ମାସ ତଳେ ଯୁବତୀ ଜଣକ ଚାକିରି ପାଇ ଚେନ୍ନାଇ ଆସିବା ପରେ କିଛି ଦିନ ଲାଗି ମାନସର ପାଗଳାମିରୁ ରକ୍ଷା ପାଇଯାଇଥିଲେ । ତେବେ ଏକତରଫା ପ୍ରେମରେ ପାଗଳ ମାନସ ଥିଲା ନଛୋଡ ବନ୍ଧା । ସେ ୪/୫ ମାସ ତଳେ ଚେନ୍ନାଇ ଆସି ଯୁବତୀଙ୍କ ପତ୍ତା ଲଗାଇଥିଲା । କିଛି ଘରୋଇ କାମ କରି ସେ ଯୁବତୀ ଜଣକୁ ଖୋଜିବାବେଳେ , ଚେନ୍ନାଇରେ କାମ କରି ରହୁଥିବା ନିଜ ଅଞ୍ଚଳର କିଛି ଯୁବକଙ୍କ ପାଖରେ କିଛି କିଛି ଦିନ ରହୁଥିଲା ।ଏହା ମଧ୍ୟରେ ସେ ସଂପୃକ୍ତ ଯୁବତୀଙ୍କ ଫୋନ୍ ନମ୍ବର ପାଇ ପୁଣି ତାଙ୍କୁ ଫୋନ୍ କରିବା ସହ, ବାହା ହେବାକୁ ରାଜି ହେବାକୁ କହୁଥିଲା । ଯୁବତୀ ଜଣକ ତାହାକୁ ପ୍ରତ୍ୟାଖ୍ୟାନ କରିଆସୁଥିଲେ ବି ମାନସ ଥିଲା ନଛୋଡବନ୍ଧା ।ସେ ଯୁବତୀଙ୍କୁ ଧମକ ଦେବା ସହ ଗାଁରେ ଥିବା ତାଙ୍କ ପରିବାର ମଧ୍ୟ ବିପଦରେ ପଡିବେ ବୋଲି ଧମକ ଦେଉଥିଲା । ଏପରିକି ମାନସର ଭାଇ ମଧ୍ୟ ଯୁବତୀ ଜଣକୁ ଫୋନ୍କରି ଧମକ ଦେଉଥିଲେ । କିନ୍ତୁ ଯୁବତୀ ଜଣକ ବାରମ୍ବାର ମାନସକୁ ପ୍ରତ୍ୟାଖ୍ୟାନ କରୁଥିଲେ ।
ଗତ ୨୧ ତାରିଖ ଦିନ ମାନସ ସେ ରହୁଥିବା ସ୍ଥାନରେ ତାର ପରିଚିତ ଜଣେ ସୁରକ୍ଷାକର୍ମୀଙ୍କ ଠାରୁ ସାଇକେଲ ମାଗି ନେଇ ସଂପୃକ୍ତ ଯୁବତୀ ରହୁଥିବା ସ୍ଥାନକୁ ଯାଇଥିଲା । ସେଠାରେ କେହି ନଥିବା ସୁଯୋଗରେ ସେ, ପୁଣି ଯୁବତୀ ଜଣକୁ ତାର ପୁରୁଣା ପ୍ରସ୍ତାବରେ ରାଜି ହେବାକୁ ବାଧ୍ୟ କରିଥିଲା । କିନ୍ତୁ ବିବାହ ପ୍ରସ୍ତାବକୁ ଯୁବତୀ ଜଣକ ଅଗ୍ରାହ୍ୟ କରିବାରୁ ଉତକ୍ଷିପ୍ତ ହୋଇ ମାନସ ତାଙ୍କୁ ଦୁଷ୍କର୍ମ କରିବା ପରେ ତଣ୍ଟିଚିପି ହତ୍ୟା କରିଥିଲା । ତାପରେ ସେ ମୃତ ଦେହକୁ କପଡାରେ ଗୁଡାଇ ସେହି ଘରେ ଫିଙ୍ଗିଦେଇ ପଳାଇଥିଲା । ଯୁବତୀଙ୍କ ବାନ୍ଧବୀ ଘରକୁ ଫେରି ଘରର ଅବସ୍ଥା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ମୃତ ଦେହକୁ ଜବତ କରିଥିଲା । ସିସିଟିଭି ଫୁଟେଜରୁ ମାନସର ସଂପୃକ୍ତି ସୁଚନା ପାଇଥିଲା ପୋଲିସ ।ପାରିପାର୍ଶ୍ୱିକ ସ୍ଥିତି,ମୃତ ଯୁବତୀଙ୍କ ବାନ୍ଧବୀଙ୍କ ଅଭିଯୋଗ ଏବଂ ମୃତକଙ୍କ ପରିବାରର ଅଭିଯୋଗରୁ ମାନସର ସଂପୃକ୍ତି ନେଇ ଠୋସ ପ୍ରମାଣ ପାଇଛି ପୋଲିସ । ତେବେ ମାନସ ଫେରାର ଥିବାବେଳେ, ତାକୁ ସାଇକେଲ ଦେଇଥିବା ସୁରକ୍ଷା କର୍ମୀକୁ ପୋଲିସ ଅଟକ ରଖିଛି । ସେପଟେ ମାନସର ଭାଇ ଏବଂ ଅତୀତରେ ସଂପୃକ୍ତ ଯୁବତୀଙ୍କୁ ମାନସର ବନ୍ଧୁ ପରିଚୟ ଦେଇ କଥା ହୋଇଥିବା ଶିକ୍ଷକଙ୍କ ସଂପର୍କରେ ଖୋଳତାଡ କରୁଛି ପୋଲିସ ।