ନାଇଟ୍‌ କର୍ଫ୍ୟୁ ବେଳେ ପାଣି ଆଣିବାକୁ ବାହାରକୁ ଯାଇଥିଲେ ଯୁବକ, ୩୦୦ ଥର ଉଠବସ୍‌ କରାଇଲା ପୋଲିସ, ଘରେ ପହଞ୍ଚିବା ପରେ ଚାଲିଗଲା ପ୍ରାଣ

Published By : Prameya-News7 Bureau | April 06, 2021 IST

ମାନିଲା ୬/୪:  କରୋନା ନିୟମ ଭାଙ୍ଗିବାରୁ  ପୋଲିସ ବାବୁ ଦେଲେ ଦଣ୍ଡ। ଦଣ୍ଡ ଏମିତି ହେଲା ଯେ, ଅମାନିଆଙ୍କୁ ଭାରୀ ପଡ଼ିଗଲା। ୧୦୦ ଥର ଉଠ୍‌ବସ୍‌ ହେବା ପରେ ଯୁବକ ଜଣଙ୍କ  ହସିବାରୁ ଖାକି ବାବୁଙ୍କ ରାଗ ପଞ୍ଚମରେ ପହଞ୍ଚିଥିଲା । ଏହା ପରେ ଦଣ୍ଡକୁ ତିନି ଗୁଣା କରିବାକୁ ନିର୍ଦେଶ ଦେଲେ ବଡ଼ ବାବୁ। ୩୦୦ ଥର ଉଠବସ୍‌ କରିବା ପରେ  ଯୁବକଙ୍କୁ ପୋଲିସ ଛାଡ଼ିଥିଲା। କିନ୍ତୁ ଘରେ ପହଞ୍ଚିବା ପରେ ଯୁବକଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାକୁ ଲାଗିଥିଲା। କିଛି ଘଣ୍ଟା ପରେ ଯୁବକଙ୍କ ଜୀବନ ଚାଲିଗଲା। ଅଭାବନୀୟ ଘଟଣାଟି ଫିଲିପାଇନ୍ସରେ ଘଟିଛି।

 ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେଠାରେ କଟକଣା ଲଗାଯାଇଛି। କିନ୍ତୁ ଘରେ ପାଣି ଶେଷ ହୋଇଯିବାରୁ ୨୮ ବର୍ଷୀୟ ଡ୍ୟାରେନ୍‌ ନାରେଡୋନ୍ଦୋ ଘରୁ ବାହାରକୁ ବାଧ୍ୟ ହୋଇ ବାହାରିଥିଲେ। ଠିକ୍‌ ଏହି ସମୟରେ ପୋଲିସର ନଜରରେ ପଡ଼ିଥିଲେ ଡ୍ୟାରେନ୍‌। ଦଣ୍ଡ ସୁରୂପ ପୋଲିସ ତାଙ୍କୁ ଉଠବସ୍‌ ହେବାକୁ କହିଥିଲା। ସେଥିପାଇଁ ଡ୍ୟାରେନ୍‌ଙ୍କ ଜୀବନ ମଧ୍ୟ ଯାଇଛି। ଏ ସମସ୍ତ ଘଟଣା ଏପ୍ରିଲ ପହିଲାର ବୋଲି ଜଣାପଡ଼ିଛି।

ଡେଲିମେଲ୍‌ରେ ପ୍ରକାଶିତ ଖବର ଅନୁସାରେ ଡ୍ୟାରେନ୍‌ ପାଣି ଆଣିବାକୁ ବାହାରକୁ ବାହାରିଥିଲେ। ସନ୍ଧ୍ୟା ପରେ କର୍ଫ୍ୟୁ ଲାଗୁ ହୋଇଥିବାରୁ ସେ ପୋଲିସର ଆକ୍ରୋଶର ଶିକାର ହୋଇଥିଲେ। ଅମାନିଆଙ୍କୁ ପୋଲିସ ଦଣ୍ଡ ଦେଉଛି ସତ କିନ୍ତୁ ମଣିଷ ପଣିଆ ଭୁଲିଯାଉଛି ବୋଲି ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦା କରାଯାଇଛି। ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟୁାନାଷ୍ଠାନ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.