ସମ୍ବଲପୁରରେ ଯୁବକଙ୍କୁ ଗଳା କାଟି ହତ୍ୟା; ପ୍ରତିବାଦରେ ଅଇଁଠାପାଲି ଥାନା ଘେରାଉ କଲେ ଉତ୍ୟକ୍ତ ଲୋକେ
23/10/2018 at 4:29 PM

ସମ୍ବଲପୁର ୨୩/୧୦ : ସମ୍ବଲପୁର ଜିଲ୍ଲା ଅଇଁଠାପାଲିରେ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରାଯାଇଛି | ମୃତକ ଯୁବକ ହେଲେ ଵିଶାଲ ଖଡ଼ିଆ | ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି | ପ୍ରତିବାଦରେ ଅଇଁଠାପାଲି ଥାନା ଘେରିଛନ୍ତି ଉତ୍ୟକ୍ତ ଲୋକେ | ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ଦାବିରେ ଥାନା ଘେରାଉ କରିଛନ୍ତି ସ୍ଥାନୀୟ ଲୋକେ |
ସୂଚନାଯୋଗ୍ୟ ଯେ, ଦୁର୍ଗା ପୂଜା ଭସାଣି ବେଳେ ଏକ ମନ୍ଦିର ନିକଟରେ ଛିଡା ହୋଇ ଭସାଣି ଦେଖୁଥିଲେ ଵିଶାଲ | ଏହି ସମୟରେ ଏକ ଧାରୁଆ ଅସ୍ତ୍ରରେ ତାଙ୍କର ଗଳା କାଟି ଫେରାର ହୋଇଯାଇଥିଲେ ଦୁର୍ବୁର୍ତ୍ତ | ବୁର୍ଲା ପୋଲିସ ତାଙ୍କୁ ନେଇ ମେଡିକାଲରେ ଭର୍ତ୍ତି କରିଥିଲା | ପ୍ରବଳ ରକ୍ତ ସ୍ରାବ ଯୋଗୁଁ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା |
ସମ୍ବଲପୁର ଏବେ ପୋଲିସ୍ ନିୟନ୍ତ୍ରଣରେ ବାହାରେ। ଗତ ଗୋଟିଏ ସପ୍ତାହ ମଧ୍ୟରେ ତିନୋଟି ହତ୍ୟାକାଣ୍ଡ, ଗୋଟିଏ ଗୁଳିକାଣ୍ଡ,ଦୁଇଟି ଛୁରାମାଡ ସହ ଲୁଟ୍, ରାହାଜାନୀ,ଡକାୟତି,ଚେନ୍ ଛଣ୍ଡାଇନେବା ଭଳି ଘଟଣା ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଦେଇଛି। ସମ୍ବଲପୁର ସହରରେ ହୁଗୁଳା ପୋଲିସ୍ ବ୍ୟବସ୍ଥା ସାଙ୍ଗକୁ, ଢିଲା ପେଟ୍ରୋଲିଂ ଅପରାଧୀ ମାନଙ୍କୁ ବେସ୍ ସୁହାଇଛି। ସବୁଠାରୁ ଅପରାଧ ପ୍ରବଣ ଅଞ୍ଚଳ ହେଉଛି, ଅଇଁଠାପାଲ୍ଲୀ ଅଞ୍ଚଳ। ଗତ ଦୁଇଦିନ ତଳେ, ଦିନ ଦ୍ବିପହରରେ ଜଣେ ଯୁବକକୁ ଗୁଳିମାରି ଅନ୍ୟ ଜଣେ ଦୁର୍ବୁର୍ତ୍ତ ଫେରାର୍ ହୋଇଯାଉଥିବା ବେଳେ, ସ୍ଥାନୀୟ ଲୋକ ଧରି ନିସ୍ତୁକ ଛେଚିଥିଲେ। ହେଲେ ପୋଲିସ୍ ଘଟଣାସ୍ଥଳରେ ଘଣ୍ଟାଏ ପରେ ପହଞ୍ଚିଥିଲା। ସେହିପରି ଗତକାଲି, ଫାଟକ ଦୂର୍ଗାମେଢ ଭସାଣି ଚାଲୁଥିବା ବେଳେ, ହଠାତ୍ ଜଣେ ଯୁବକକୁ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରାଯାଇଛି। ଠିକ୍ ସେହିପରି ଦଳେଇପଡାରେ ଦୂର୍ଗା ଭସାଣ ଚାଲିଥିବା ବେଳେ, ଛୁରାମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସହରର ମୁଖ୍ୟ ରାସ୍ତାରେ ବଳପୂର୍ବକ ଗାଡି ଅଟକାଇ ଦାଦା ମାମୁଲି ଅସୁଲ୍,ମୋବାଇଲ୍ ଲୁଟ୍,ସୁନା ଚେନ୍ ଛିନ୍ତାଇ ସାଧାରଣ ଘଟଣା ହେଲାଣି। ଏହାକୁ ନେଇ ଲୋକ ତାତିଲେଣି। ଆଜି ଶହଶହ ଲୋକ ଅଇଁଠାପାଲ୍ଲୀ ଥାନାକୁ ଦୀର୍ଘ ସମୟ ଧରି ଘେରାଓ କରିବା ସହ, ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଫଳରେ ଉତ୍ୟକ୍ତ ଲୋକ ଓ ପୋଲିସ୍ ମଧ୍ୟରେ ଧସ୍ତାଧସ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ସମ୍ବଲପୁର ସହରର ବାସିନ୍ଦା ରାତି କଥା ଛାଡନ୍ତୁ ଏବେ ଦିନରେ ମଧ୍ୟ ନିଜ ଧନଜୀବନ ସୁରକ୍ଷିତ ମଣୁନାହାଁନ୍ତି |