ସନ୍ଦେହ ଘେରରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ : ନିଖୋଜର ୧୭ ଦିନ ପରେ ଜଙ୍ଗଲରୁ ମୃତଦେହ ଉଦ୍ଧାର, ମିଳିଲା ବାଇକ୍ ଓ ଚପଲ
23/11/2020 at 10:30 AM

ବଲାଙ୍ଗୀର ୨୩।୧୧: ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ନିଖୋଜ ହେବାର ୧୭ ଦିନ ପରେ ଯୁବକଙ୍କ ମୃତଦେହ ମିଳିଥିବା ସୂଚନା ରହିଛି । ବଲାଙ୍ଗୀର ଦେଓଗାଁ ଓ ପାଟଣାଗଡ ସୀମା ମୁଦଘାଟ- ଚିପାକାନି ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତକ ହେଲେ ଦେଓଗାଁ ହାତୀସରା ଗାଁର ନିଖୋଜ ହୋଇଥିବା ସୁନା ବ୍ୟବସାୟୀ ଗଜାନନ ମେହେର ।

ଜଙ୍ଗଲରେ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତଦେହ ନିଟକରୁ ଏକ ବାଇକ୍ ଜବତ କରାଯାଇଛି । ତାଙ୍କ ଚପଲ ମଧ୍ୟ ନିକଟରେ ପଡିଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ଗତ ୫ ତାରିଖ ଦିନ ପାଟଣାଗଡକୁ ଯିବାକୁ କହି ଗଜାନନ ନିଖୋଜ ହୋଇଯାଇଥିଲେ । ଗଜାନନ ସୁନା ବ୍ୟବସାୟ କରୁଥିଲେ । ତେବେ ବ୍ୟବସାୟୀକ ଶତ୍ରୁତାକୁ କେନ୍ଦ୍ରକରି କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ ଜାରି ରହିଛି । ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି ।