ନିଖୋଜର ୧୭ଦିନ ପରେ ମିଳିଲା ଯୁବକଙ୍କ ଗଳିତ ମୃତଦେହ, ପତ୍ନୀଙ୍କ ନାଁରେ ହତ୍ୟା ଅଭିଯୋଗ

Published By : Prameya-News7 Bureau | October 29, 2021 IST

କେନ୍ଦ୍ରାପଡା ୨୯।୧୦: ନିଖୋଜ ହେବାର ୧୭ଦିନ ପରେ ମିଳିଲା ଯୁବକଙ୍କ ଗଳିତ ଶବ । ମୃତ ଯୁବକ ହେଉଛି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଛକନା ଗ୍ରାମର ବିଶ୍ବ ରଂଜନ ମହାନ୍ତି । ବିଶ୍ବ ରଂଜନଙ୍କ ମୃତଦେହ ଗତ ୨୮ତାରିଖରେ ଜଗତସିଂହପୁର ରାହାମା ହାଟ ନିକଟରୁ ଉଦ୍ଧାର ହେବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ବିଶ୍ବ ରଂଜନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ବିଶ୍ବ ରଂଜନଙ୍କ ସ୍ତ୍ରୀ ପ୍ରଜ୍ଞା ପାରମିତାଙ୍କ ବିରୋଧରେ ହତ୍ୟା ଅଭିଯୋଗ ହୋଇଛି । 

ଉଲ୍ଲେଖୋଯୋଗ୍ୟ ଯେ, କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଛକନା ଗ୍ରାମର ଯୁବକ ବିଶ୍ବ ରଂଜନ ମହାନ୍ତି ଗତ ଅକ୍ଟୋବର ୧୨ତାରିଖରେ କେଉଁଆଡେ ନିଖୋଜ ହୋଇଯାଇଥିଲେ । ତେବେ ନିଖୋଜ ହେବାର ୧୭ଦିନ ପରେ ଜଗତସିଂହପୁର ଜିଲ୍ଲା ରାହାମା ହାଟ ପାଖ ପୋଲ ନିକଟରେ ଥିବା ନାଳ ଭିତରୁ ମିଳିଲା ବିଶ୍ବ ରଂଜନଙ୍କ ମୃତଦେହ । ମୃତକ ବିଶ୍ବ ରଂଜନ ବୋଲି ପରିବାର ଲୋକେ ତାଙ୍କ ସାର୍ଟ, ପ୍ୟାଣ୍ଟ ଏବଂ ପ୍ୟାକେଟରେ ଥିବା ପରିଚୟପତ୍ରରୁ ଚିହ୍ନଟ କଲେ । ତେବେ ବିଶ୍ବ ରଂଜନ ନିଖୋଜ ହେବା ନେଇ ତାଙ୍କ ସ୍ତ୍ରୀ ପ୍ରଜ୍ଞା ପାରମିତା ଏବଂ ବିଶ୍ବ ରଂଜନଙ୍କ ବାପା ଜ୍ଞାନ ରଂଜନ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିଲେ।

ପୋଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ଗତ ୨୮ତାରିଖରେ ଏକ ମୃତଦେହ ଠାବ କରାଯାଇଥିଲା। ପରେ ଏହା ନିଖୋଜ ଯୁବକ ବିଶ୍ବ ରଂଜନଙ୍କର ବୋଲି ଜଣାପଡିଥିଲା। ତେବେ ବିଶ୍ବ ରଂଜନଙ୍କୁ ତାଙ୍କ ସ୍ତ୍ରୀ ପ୍ରଜ୍ଞା ପାରମିତା ଏବଂ ଶ୍ବଶୁର ଘର ଲୋକେ ହତ୍ୟା କରିଛି ବୋଲି ବାପା ଜ୍ଞାନ ରଂଜନ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଛି । ଉଭୟ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ହୋଇଥିବା ମତାନ୍ତର ଏବଂ ମନୋମାଳିନ୍ୟକୁ ଯୋଗୁଁ ଏହି ହତ୍ୟାକାଣ୍ଡ ସଂଗଠିତ ହୋଇଛି ବୋଲି ମୃତ ବିଶ୍ବ ରଂଜନଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.