ପୁରୀ ସମୁଦ୍ର ହୋଇଉଠୁଛି ଅଶାନ୍ତ ; ଭାସିଗଲେ ବାଙ୍କୀର ଯୁବକ, ଉଦ୍ଧାରକାର୍ଯ୍ୟ ଜାରି

Published By : Prameya-News7 Bureau | March 29, 2019 IST

ପୁରୀ ୨୯|୩ :  ପୁରୀ ସମୁଦ୍ରରେ ଗାଧୋଉଥିବାବେଳେ ଜଣେ ଯୁବକ ଭାସିଯାଇଛନ୍ତି । ଆଜି ଦିନ ପ୍ରାୟ ୧ଟା ବେଳକୁ ବାଙ୍କୀରୁ ଆସିଥିବା ୪ଜଣ ସାଙ୍ଗ ପୁରୀ ସମୁଦ୍ରରେ ଗାଧାଉଥିଲେ । ଏହି ସମୟରେ ଭବରଞ୍ଜନ ଦାସ ନାମକ ଜଣେ ଯୁବକ ଟାଣି ହୋଇ ସମୁଦ୍ର ଭିତରକୁ ଭିତରକୁ ଚାଲିଯାଇଥିଲେ । ସାଙ୍ଗରେ ଥିବା ଅନ୍ୟ ୩ଜଣ ସାଙ୍ଗ ଭବରଞ୍ଜନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ । ତୁରନ୍ତ ଲାଇଫ୍ ଗାର୍ଡଙ୍କ ସହାୟତା ମିଳିନଥିଲା । ବହୁ ବିଳମ୍ବରେ ଲାଇଫ୍ ଗାର୍ଡ ଏବଂ ଅଗ୍ନିଶମବାହିନୀ ପହଞ୍ଚି ଭାସିଯାଇଥିବା ଭବରଞ୍ଜନଙ୍କୁ ଖୋଜିବା କାମରେ ଲାଗିଛନ୍ତି । ଇତିମଧ୍ୟରେ ଦୀର୍ଘ ଦୁଇ ଘଣ୍ଟା ବିତିଯାଇଥିଲେ ମଧ୍ୟ ଭବରଞ୍ଜନଙ୍କ କୌଣସି ପତ୍ତା ମିଳିନାହିଁ । ଖବର ପାଇ ବାଙ୍କୀରୁ ଭବରଞ୍ଜନଙ୍କ ପରିବାରଲୋକ ପୁରୀରେ ପହଞ୍ଚିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ଦିନ ୧୦ଟାରୁ ସ୍ବର୍ଗଦ୍ବାର ଓ ପୁରୀ ହୋଟେଲଠାରୁ ଚକ୍ରତୀର୍ଥ ରୋଡ୍ ମଧ୍ୟରେ ପୁରୀ ସମୁଦ୍ର ଅତ୍ୟଧିକ ଅଶାନ୍ତ ରହିଥିଲା । ଜିଲ୍ଲା ପ୍ରଶାସନ ଓ ପୋଲିସ ପାଖରେ ସମୁଦ୍ର ଅଶାନ୍ତ ଥିବା ଖବର ଥିଲେ ମଧ୍ୟ ସମୁଦ୍ରକୁ ଗାଧାଇବା ପାଇଁ ଆସୁଥିବା ପର୍ଯ୍ୟଟକଙ୍କୁ ସତର୍କ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଇନଥିଲା । ହୋଲି ପରଠାରୁ ପୁରୀରେ ୨ଲକ୍ଷରୁ ଅଧିକ ପର୍ଯ୍ୟଟକ ରହିଛନ୍ତି । କିନ୍ତୁ ପର୍ଯ୍ୟଟକଙ୍କୁ ସମୁଦ୍ରର ସ୍ଥିତି ସଂପର୍କରେ ସୂଚନା ଦେବାଲାଗି କୌଣସି ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.