ବାଇକ୍ ଓ ମୋବାଇଲ୍ ରଖି ମହାନଦୀକୁ ଡେଇଁଲେ ଯୁବକ : ମିଳୁନି ପତ୍ତା, ଜଣାପଡୁନି କାରଣ
18/12/2020 at 9:10 AM

ପାରାଦୀପ ୧୮।୧୨: ମହାନଦୀରେ ବୁଡିଯାଇଥିବା ଯୁବକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବିଭାଗ । ଗୁରୁବାର ସନ୍ଧ୍ୟାରେ କୁଜଙ୍ଗ ନିକଟ ମହାନଦୀକୁ ଡେଇଁ ପଡିଥିଲେ ଯୁବକ । ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ କୁଜଙ୍ଗ ପୋଲିସ ଉପସ୍ଥିତ ଅଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ସନ୍ଧ୍ୟା ସମୟରେ ଜଣେ ଯୁବକ ବାଇକ୍ରେ ଆସି ନଦୀ କୂଳରେ ବାଇକ୍ ଓ ଦୁଇଟି ମୋବାଇଲ ରଖି ହଠାତ୍ ନଦୀକୁ ଡେଇଁ ପଡିଥିଲେ । ସେହି ସମୟରେ ନଦୀରେ ମାଛ ଧରୁଥିବା ମତ୍ସ୍ୟଜୀବୀ ତାଙ୍କୁ ଦେଖି ତୁରନ୍ତ କୁଜଙ୍ଗ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚିବା ସହ ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ।

ଘଟଣାଟି ସନ୍ଧ୍ୟା ସମୟରେ ଘଟିଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେବାରୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ଶୁକ୍ରବାର ସକାଳୁ ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି । ତେବେ ନଦୀ କୂଳରୁ ମିଳିଥିବା ବାଇକ୍ ଓ ମୋବାଇଲରୁ ପ୍ରାଥମିକ ତଦନ୍ତ ଆରମ୍ଭ କରି କୁଜଙ୍ଗ ପୋଲିସ ଜାଣିବାକୁ ପାଇଥିଲା ବାଇକଟି କୁଜଙ୍ଗ ବ୍ଲକ୍ ପାଟପୁର ପଞ୍ଚାୟତ, କରତୁଠା ଗ୍ରାମର ଉମାକାନ୍ତ ନାୟକ ଓ ମୋବାଇଲ ଦୁଇଟି ତାଙ୍କ ପୁଅ ଲକ୍ଷ୍ମୀକାନ୍ତ ନାୟକଙ୍କର । ତେବେ ଲକ୍ଷ୍ମୀକାନ୍ତ କୌଣସି କାରଣରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି ।