Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାଠ ପଢି ନାହାନ୍ତି ଏହି ଆଦିବାସୀ ଯୁବକ ; ଭଙ୍ଗା ସ୍କୁଟରରେ ଚାଷ ଜମି ପାଇଁ ତିଆରି କରିଛନ୍ତି ଅତ୍ୟାଧୁନିକ ଯନ୍ତ୍ରପାତି, ସହଜରେ ହୋଇପାରୁଛି ଅନେକ ଚାଷକାମ

24/08/2019 at 5:33 PM

ଗୁଣୁପୁର ୨୪|୮: ଆବଶ୍ୟକୀୟ ଶିକ୍ଷା ନାହିଁ ହେଲେ ନିଜର ବୁଦ୍ଧି ପ୍ରୟୋଗ କରି ଚାଷ ଜମି ପାଇଁ ଭଙ୍ଗା ସ୍କୁଟର ଓ ପାଣି ଉଠା ପୁରୁଣା ପମ୍ପକୁ ବ୍ୟବହାର କରି ପେଟ୍ରୋଲ ଚାଳିତ ପମ୍ପ ଓ ଅନ୍ୟ ଯନ୍ତ୍ରପାତିତିଆରି କରିଛନ୍ତି ।ବେଶ୍‌ ସଫଳତାର ସହ ଏହାକୁ ବ୍ୟବହାର ବି କରୁଛନ୍ତି । ମାତ୍ର ୮୦ ଟଙ୍କାରେ ଏକ ଏକର ଚାଷ ଜମିରେ ପାଣି ମଡାଯାଇ ପାରୁଛି ।  ଏହି ଆଦିବାସୀ ଚାଷୀ ଜଣଙ୍କ ହେଲେ  ଉଦୟ ଶବର ।

ଅଦରକାରୀ ଭାବେ  ପଡିଥିବା ସ୍କୁଟର ଓ ରାଜଦୁତ୍ ଇଂଜିନରେ ତିଆରି ହୋଇଛି ଜମି ଚାଷ ଯନ୍ତ୍ରପାତି । ଏଥିପାଇଁ ବ୍ୟବହାର ହୋଇଛି ୩ଟି ପାଣିଉଠା  ମଟର, ୬ ଟି ବେରିଂ, ଗୋଟିଏ ପୁଲି, ଏମ୍ ୮୦ର ଚେନ ସକେଟ, ପୁରୁଣା ସ୍କୁଟରର ଚକା ଓ ଟାଙ୍କି । କେଉଁଥିରେ ବଳଦ ଟାଣିବା ଲୁହା ଲଙ୍ଗଳ ଲାଗିଛି ତ ଆଉ କେଉଁଥିରେ ଖୋସିବା ପାଇଁ ସ୍ବତନ୍ତ୍ର ଲଙ୍ଗଳ ଲାଗିଛି । ଏହି ଯନ୍ତ୍ରପାତିକୁ ନିର୍ମାଣ କରିଛନ୍ତି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଳକ ଗୁଡିଆବନ୍ଧ ଗାଁର ଆଦିବାସୀ ଚାଷୀ ଉଦୟ ଶବର ।

ଉଦୟ ନିଜସ୍ୱ ଜ୍ଞାନ କୌଶଳରେ ତିଆରି କରିଥିବା ଏହି ଦୁଇଟି ଯନ୍ତ୍ରପାତିରେ କଳାମାଟି, ବାଲିଆ ମାଟି, ଫୁସଫସିଆ ମାଟି ସବୁଥିରେ ଚାଷ ଓ ଖୋସା ହୋଇ ପାରୁଛି । ବଡ ଯନ୍ତ୍ରପାତିରେ ୮୦ ଟଙ୍କାର ପଟ୍ରୋଲରେଏକର ୭୫ ଡେସିମିଲ ଜମି ଚାଷ ହେଉଥିବା ବେଳେ ଏହା ତିଆରି ପାଇଁ ୧୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ସାନ ଯନ୍ତ୍ରପାତିରେ ୮୦ ଟଙ୍କାର ପଟ୍ରୋଲ ଭରିଲେ ଏକର ଜମି ଚାଷ ହେଉଛି । ଏହା ତିଆରି କରିବା ପାଇଁ ୮ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଅଳ୍ପ ଖର୍ଚ୍ଚରେ ଅଧିକ ଜମି ଓ ଭଲଚାଷ ହୋଇ ପାରୁଥିବାରୁ ଏହାର ଚାହିଦା ବଢିବାରେ ଲାଗିଛି । ଏମିତି ବିଭିନ୍ନ ରକମର ଯନ୍ତ୍ରପାତି  ତିଆରି କରି କୃଷକ ମହଲରେ ପ୍ରସଂଶା ସାଉଟିଛନ୍ତି ଉଦୟ ।

 ଏଥିରେ ତଳିଘରା ଠାରୁ ଆରମ୍ଭ କରି କପା, ପନିପରିବା ଇତ୍ୟାଦି ପାଇଁ ଚାଷ ଓ ଖୁସା ହୋଇ ପାରୁଛି । ଜଣେ ବ୍ୟକ୍ତି ଆରାମରେ ଏଥିରେ ନିଜ ଚାଷ କାର୍ଯ୍ୟ କରି ପାରୁଛି । ଏଣୁ ଶସ୍ତା ସୁବିଧା ଓ ଭଲ ଚାଷ ହେଉଥିବାରୁ ଏହାର ଚାହିଦା ବଢିଛି । ଅପାଠୁଆ ଆଦିବାସୀ ଚାଷୀ ଉଦୟଙ୍କ ଏହି ସଫଳତା ଏବେ ସବୁଠି ଚର୍ଚ୍ଚାରେ । ପିଲାଟି ଦିନରୁ ଆର୍ଥିକ ଅନାଟନ ହେତୁ ଚତୁର୍ଥ ଶ୍ରେଣୀରୁ ପାଠପଢି ପାଠ ଛାଡିଦେଇ ଯୁବକ ଅବସ୍ଥାରୁ ମିସ୍ତ୍ରୀ ଭାବେ କାମ କରୁଥିଲେ । ଏବେ ଗୁଡିଆବନ୍ଧରୁ ଗୁଡାରୀ ଯିବା ରାସ୍ତାର ତିନି କୋଣିଆ ଛକରେ ନିଜେ ଏକ ଗ୍ୟାରେଜ କରିବା ସହ ୧୫ ଏକର କପା, ଧାନ ଓ ପରିବା ଚାଷ କରୁଛନ୍ତି ।

ଚାଷପାଇଁ ଆଜିର ଦିନରେ ଶ୍ରମିକ ଅଭାବ ଏକ ସମସ୍ୟା ହୋଇଥିବା ବେଳେ ଉଦୟଙ୍କ ଏହି ଅଭିନବ ପ୍ରୟାସ କୃଷକ ମହଲରେ ନୂଆ ଆଶା ସଞ୍ଚାର ହୋଇଛି । ଆଗକୁ  ବିହନ ବୁଣା ଯନ୍ତ୍ରପାତି ମଧ୍ୟ ତିଆରି କରିବାର ଯୋଜନା ରଖିଥିବା ଉଦୟ କହିଛନ୍ତି ।

   Related Posts