ସ୍ବାମୀର ଦଶାହରେ ଆତ୍ମହତ୍ୟା କଲା ସ୍ତ୍ରୀ : ମାଇଁ ସହ ଅନୈତିକ ସଂପର୍କ ଯୋଗୁଁ ମାମୁଁକୁ ହତ୍ୟା କରିଥିଲା ଭଣଜା
30/10/2019 at 2:59 PM

ଆନନ୍ଦପୁର ୩୦।୧୦: ସ୍ବାମୀ ମୃତ୍ୟୁର ଦଶାହ ଦିନ ସ୍ତ୍ରୀର ଆତ୍ମହତ୍ୟା । ଧରପଡ଼ିଲା ହତ୍ୟାକାରୀ ଭଣଜା। ନିଜ ମାଇଁ ସହ ଅବୈଧ ସମ୍ପର୍କକୁ ନେଇ ମାମୁଁକୁ କରିଥିଲା ହତ୍ୟା । ଘଟଣା ପ୍ରଘଟ ହେବା ପରେ ଲୋକଲଜ୍ଜାରେ ମାଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ହରିପୁର ଗାଁରେ ଗତ୨୧ ତାରିଖ ଦିନ ରାସ୍ତା କଡରୁ ଗାଁର ଗୋବର୍ଦ୍ଧନ ନାଥଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାର ପ୍ରକୃତ ରହସ୍ୟ ସମ୍ନାକୁ ଆସିନଥିବା ବେଳେ ଆଜି ଗୋବର୍ଦ୍ଧନଙ୍କ ଦଶାହରେ ସ୍ତ୍ରୀ ମାମା ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗୋବର୍ଦ୍ଧନଙ୍କ ମୃତ୍ୟୁ ପଛରେ ସ୍ତ୍ରୀ ମାମାର ନିଜ ଭଣଜା ଗଣିଆ ସହ ଅନୈତିକ ସମ୍ପର୍କ ହିଁ ଏକ ମାତ୍ର କାରଣ ବୋଲି ଜଣା ପଡ଼ିଛି।

ଗତ ୨୧ ତାରିଖରେ ଗୋବର୍ଦ୍ଧନଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ପରେ ସନ୍ଦେହରେ ରହିଥିଲା ରାମଚନ୍ଦ୍ରପୁର ପୋଲିସ । ବିଭିନ୍ନ ଦିଗରୁ ତଦନ୍ତ ପରେ ଭଣଜା ଗଣିଆର ନିଜ ମାଇଁ ସହ ଅନୈତିକ ସମ୍ପର୍କ ଥିବାର ଠୋସ ପ୍ରମାଣ ପାଇବା ପରେ ଗତକାଲି ଗଣିଆକୁ ଥାନାକୁ ଉଠାଇ ଆଣିଥିଲା ରାମଚନ୍ଦ୍ରପୁର ପୋଲିସ ।

ପୋଲିସ ନିକଟରେ ନିଜ ମାମୁଁକୁ ହତ୍ୟା କରିଥିବା ସ୍ବୀକାର କରିଛି ଗଣିଆ ଏଥିସହ ମାଇଁ ସହିତ ତାର ଅନୈତିକ ସମ୍ପର୍କ ଥିବା ପୋଲିସ ନିକଟରେ ବୟାନ ଦେଇଥିବା ରାମଚନ୍ଦ୍ରପୁର ଥାନା ଅଧିକାରୀ କହିଛନ୍ତି। ଏସବୁ ଘଟଣା ଜାଣିପାରି ଲୋକଲଜ୍ଜା ଭୟରେ ମାଇଁ ମାମା ଆଜି ଘର ଭିତରେ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ତଦନ୍ତ ଜାରି ରଖିଛି।