ଭୁବନେଶ୍ବର ଉପକଣ୍ଠରେ ଯୁବକଙ୍କୁ ନିର୍ମମ ହତ୍ୟା, କ୍ୟାମେରାରେ କଏଦ ହେଲା ହତ୍ୟାକାଣ୍ଡର ଲୋମଟାଙ୍କୁରା ଦୃଶ୍ୟ
8/06/2019 at 8:36 AM

ଭୁବନେଶ୍ବର ୮|୬: ଭୁବନେଶ୍ବର ଉପକଣ୍ଠରେ ଯୁବକଙ୍କୁ ବୀଭତ୍ସ ହତ୍ୟା । କ୍ୟାମେରାରେ କଏଦ ହୋଇଛି ହତ୍ୟାର ଦୃଶ୍ୟ । ଦିନରେ ହତ୍ୟା କରି ଅଭିଯୁକ୍ତବେଶ ଆରାମରେ ଚାଲି ଯାଉଛି । ଏସବୁ ଦୃଶ୍ୟକୁ କ୍ୟାମେରାରେ ସୁଂଟିଂ ହୋଇଛି । ହେଲେ ସବଠୁ ଆଶ୍ଚର୍ଯ୍ୟ କେହି ବି ପୋଲିସକୁ ସୂଚନା ଦେଉନାହାନ୍ତି । ବାଲିଅନ୍ତା ଥାନା ଅଟଳା ସ୍ଥିତ ପଞ୍ଚମୁଖୀ ଆପାର୍ଟମେଣ୍ଟ ଗେଟ୍ ଆଗରେ ଅପରାହ୍ନ ୫ଟା ବେଳେ ଘଟିଛି ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ଜଣେ ବ୍ୟକ୍ତିଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ହାଣି ହତ୍ୟା କରିବା ପରେ ଆଖି ତାଡି ଦେଇଛି ଅଭିଯୁକ୍ତ । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଲକ୍ଷ୍ମୀସାଗର ଥାନା ଶବର ସାହିର ପ୍ରୀତମ ରାଉତରାୟ । ପୋଲିସ ମୃତଦେହ ଜବତ କରିଛି ।
ତେବେ ସବୁଠୁ ବଡକଥା ହତ୍ୟାକାଣ୍ଡକୁ ଚାରିପଟେ ଲୋକେ ଠିଆ ହୋଇ ଦେଖୁଥିଲେ, ହେଲେ ସମସ୍ତେ ନୀରବଦ୍ରଷ୍ଟା ସାଜିଥିଲେ । ପ୍ରାଣ ହରାଇଥିବା ବ୍ୟକ୍ତି ପ୍ରୀତମ ଜଣେ ବଙ୍ଗୀୟ ଯୁବକ ସହ ମିଶି ଏକ ମସାଜ ସେଣ୍ଟର କରିଥିଲେ । ଗତକାଲି ଅପରାହ୍ନରେ ଏହି ଦୁଇ ଜଣ ଏକ ବାଇକରେ ଅଟଳଗଡା ପହଞ୍ଚିଥିଲେ । ସେଠାରେ କୌଣସି କଥାକୁ ନେଇ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଏହାପରେ ଦୁଇଜଣ ଯାଇଥିଲେ ପଞ୍ଚମୁଖୀ ଆପାର୍ଟମେଣ୍ଟ ପାଖକୁ । ସେଠାରେ ବଙ୍ଗୀୟ ଯୁବକ ଜଣକ ପ୍ରୀତମଙ୍କୁ ଅଚାନକ ଖଣ୍ଡାରେ ଆକ୍ରମଣ କରିଥିଲେ । ପ୍ରୀତମ ଭୟରେ ଧାଇଁଥିଲେ ବି ବଙ୍ଗୀୟ ଯୁବକ ତାଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ । ବାଟରେ ଯାଉଥିବା ଲୋକେ ହତ୍ୟାକାଣ୍ଡ ଦେଖୁଥିଲେ । ପାଖରେ ଥିବା ଅନ୍ୟ ଏକ ଆପାର୍ଟମେଣ୍ଟରେ ଅନେକ ଶ୍ରମିକ କାମ କରଥିଲେ ।
ଏପଟେ ପଞ୍ଚମୁଖୀ ଆପାର୍ଟମେଣ୍ଟ ଉପରେ ଠିଆ ହୋଇ ଜଣେ ଲୋକ ହତ୍ୟାକାଣ୍ଡର ଭିଡିଓ ସୁଟିଂ କରୁଥିଲେ । ହେଲେ କେହି ବି ପୋଲିସକୁ ଫୋନ କରି ନଥିଲେ । ପ୍ରୀତମକୁ ହତ୍ୟା କରୁଥିବା ସ୍ଥାନଠୁ ମାତ୍ର ୨୦ଫୁଟ ଦୁରରେ ସିକ୍ୟୁରିଟି ଗାର୍ଡ ଠିଆ ହୋଇଥିଲେ । ହତ୍ୟା କରିବା ପରେ ଅଭିଯୁକ୍ତ ଖଣ୍ଡାକୁ ଏକ ଗାମୁଛାରେ ଗୁଡା ବେଶ ଆରାମରେ ଖସି ଯାଇଥିଲା । କିଛି ସମୟ ପରେ ସୂଚନା ପାଇ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲା। କ୍ୟାମେରା ଦୃଶ୍ୟ ଆଧାରରେ ପୋଲିସ ଏବେ ତଦନ୍ତ କରୁଛି ।