ଲକଡାଉନରେ ଭୟଙ୍କର ପରିସ୍ଥିତି : ଖାଇବାକୁ ନ ମିଳିବାରୁ ୧୦ ଫୁଟ ଲମ୍ବା ସାପକୁ ମାରି ଖାଇଲେ ଯୁବକ

Published By : Prameya-News7 Bureau | April 22, 2020 IST

ଇଟାନଗର ୨୨/୦୪ : କରୋନା ଭାଇରସ ମହାମାରୀର ବିସ୍ତାର ରୋକିବାକୁ ପୁରା ଦେଶକୁ ଲକଡାଉନ କରାଯାଇଛି | ବନ୍ଦ ଯୋଗୁଁ କୋଟି କୋଟି ଲୋକ ଭୋକ ଉପାସରେ ଦିନ କାଟୁଛନ୍ତି | ଭୋକ ମେଣ୍ଟାଇବା ପାଇଁ ଲୋକେ ଅଜବ ଅଜବ କାମ କରୁଛନ୍ତି | ଏହିଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଅରୁଣାଚଳ ପ୍ରଦେଶରେ | ଖାଦ୍ୟ ନ ମିଳିବାରୁ କିଛି ଯୁବକ କିଙ୍ଗ କୋବ୍ରା (କଳା ନାଗ) ସାପକୁ ମାରି ଖାଇଛନ୍ତି |

ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ୩ ଜଣ ଯୁବକ ୧୦ ଫୁଟ ଲମ୍ବା କୋବ୍ରାକୁ ମାରି ତାକୁ କାନ୍ଧରେ ଧରି ବୁଲୁଥିବା ଭିଡିଓରେ ଦେଖିବାକୁ ମିଳିଛି | ଯୁବକଙ୍କ ଆଖପାଖରେ ଗାଁର ଛୋଟ ପିଲା ମଧ୍ୟ ଅଛନ୍ତି | ତେବେ ସେମାନେ ସାପକୁ ମାରି କାନ୍ଧରେ ଧରି ବୁଲିବାର କାରଣ ପଚାରିବାରୁ ସେମାନେ କହିଥିଲେ ଯେ, ଘରେ ଖାଇବା ପାଇଁ କିଛି ନାହିଁ, ଯାହା ଥିଲା ସବୁ ସରିଯାଇଛି | ସେଥିପାଇଁ ଜଙ୍ଗଲରେ ସେମାନେ ଯେତେବେଳେ ଏହି ସାପକୁ ଦେଖିଥିଲେ ତାକୁ ମାରି ଦେଇଥିଲେ | ବର୍ତ୍ତମାନ ଏହି ସାପକୁ ରାନ୍ଧି ଖାଇବେ ବୋଲି ଯୁବକମାନେ କହିଥିଲେ |

ରାଜ୍ୟର ଡେପୁଟି ଚିଫ ବନ୍ୟପ୍ରାଣୀ ୱାର୍ଡନ ଉମେଶ କୁମାର କହିଛନ୍ତି ଯେ, କୋବ୍ରା ଶିକାର ଖବର ପାଇବା କ୍ଷଣି ବନ୍ୟ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ | ଯାଞ୍ଚ ପରେ ଘଟଣା ସ୍ପଷ୍ଟ ହୋଇଥିଲା | ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା କଲା ବେଳକୁ ସେ ଫେରାର ହୋଇଯାଇଥିଲା | ଯୁବକମାନଙ୍କ ବିରୋଧରେ ବନ୍ୟପ୍ରାଣୀ ସଂରକ୍ଷଣ ଅଧିନିୟମ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.