ମହାନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
5/11/2019 at 10:56 AM

ଜଗତସିଂହପୁର ୫।୧୧: ପୁଣି ଜଣେ ଯୁବକ ଡେଇଁଲେ ଗଭୀର ନଦୀକୁ । ଘଟଣା ଘଟିଛି ଜଗତସିଂପୁର ତାରାପୁର ନିକଟରେ । ଏଠାରେ ଜଣେ ଯୁବକ ବ୍ରିଜ୍ ଉପରୁ ନଦୀକୁ ଡେଇଁପଡି ନିଖୋଜ ହୋଇଛନ୍ତି ।

ନିଖୋଜ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ବ୍ରିଜ୍ ଉପରୁ ତାଙ୍କ ସାଇକେଲ୍ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଥିଲେ ବି ତାଙ୍କର ପତ୍ତା ମିଳିନାହିଁ ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଆଜି ଦିନ ପ୍ରାୟ ୧୦ଟା ୩୦ ମିନିଟ୍ ସମୟରେ ଜଣେ ଅଜଣା ଯୁବକ ସାଇକେଲରେ ଆସି ପୋଲ ବାଡ଼ା ଉପରେ ଚଢିବା ସହ ନଦୀକୁ ଡେଇଁ ପଡ଼ିଥିଲେ । ସେହି ବାଟ ଦେଇ ଯାଉଥିବା ଜଣେ ବାଇକ୍ ଆରୋହୀ ଏହା ଦେଖିବା ପରେ ଗାଡି ଅଟକାଇ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ ।

ଏ ବାବଦରେ ସେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ଆସି ଖୋଜାଖୋଜି ଚଳାଇଛନ୍ତି । ନିଖୋଜ ଯୁବକଙ୍କର କୌଣସି ପରିଚୟ ମିଳିପାରି ନଥିବାରୁ ସେ କାହିଁକି ନଦୀକୁ ଡେଇଁଲେ ତାହା ସ୍ପଷ୍ଟ ହୋଇପାରିନାହିଁ ।