ଯୁବକଙ୍କୁ ପିଟିପିଟି ନିର୍ମମ ହତ୍ୟା ! ୫ ଜଣଙ୍କୁ ଅଟକ ରଖିଲା ପୋଲିସ

Published By : Prameya-News7 Bureau | July 10, 2021 IST

ଦେବଗଡ ୧୦।୭: ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଗଣନାଥପୁର ଗ୍ରାମରେ ଯୁବକଙ୍କୁ ପିଟିପିଟି ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ନିକଟସ୍ଥ ଭଗବତପୁର ଗ୍ରାମର ପ୍ରମୋଦ ପ୍ରଧାନଙ୍କ ୩୩ ବର୍ଷ ବୟସ୍କ ପୁଅ ବାପିନ୍ଦ୍ର ପ୍ରଧାନ ଓରଫ ବାପି । ବାପି ଶେଷ ଥର ପାଇଁ ଗଣନାଥପୁର ଗ୍ରାମର ମହେନ୍ଦ୍ର ନାଏକଙ୍କ ଘରେ ଥିବା ଦେଖିବାକୁ ମିଳିଥିବା ବେଳେ ପରେ ମହେନ୍ଦ୍ରଙ୍କ ବାଡି ପଛ ପଟେ ମରି ପଡିଥିବା ଦେଖିବାକୁ ମିଳିଥିଲା ।  ବାପିଙ୍କ ମରଶରୀରରେ ଅନେକ କ୍ଷତ ଚିହ୍ନ ଦେଖିବାକୁ ମିଳିଛି । ପରିବାର ପକ୍ଷରୁ ବାପିଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ବାରକୋଟ ଥାନାରେ ଅଭିଯୋଗ କରାଯାଇଛି ।

ବାପିଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ବାରକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ଶବ ଉଦ୍ଧାର ହୋଇଥିବା ମହେନ୍ଦ୍ରଙ୍କ ପରିବାରର ୫ ଜଣଙ୍କୁ ବାରକୋଟ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ଦେବଗଡ ଅତିରିକ୍ତ ଏସପି ରବିନାରାୟଣ ସିଂ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଢେଙ୍କାନାଳରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଛନ୍ତି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ରକ୍ତଲଗା ମାଟିର ନମୁନା ସଂଗ୍ରହ କରିଛି । ବାରକୋଟ ଥାନା ପୋଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ କରିବା ପରେ ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି । ଏହି ହତ୍ୟା ଘଟଣାର ଉପଯୁକ୍ତ ତଦନ୍ତ କରି ହତ୍ୟାକାରୀକୁ କଠୋର ଦଣ୍ଡ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.