ହତ୍ୟା ନା ଆତ୍ମହତ୍ୟା ! ଭଦ୍ରକ ଗ୍ରାମାଞ୍ଚଳ ସାମ୍ନା ଥାନା ସାମ୍ନା ଘରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

Published By : Prameya-News7 Bureau | December 30, 2018 IST

ଭଦ୍ରକ ୩୦/୧୨ : ଭଦ୍ରକ ଗ୍ରାମାଞ୍ଚଳ ସାମ୍ନା ଏକ ଘରୁ ଯୁବକଙ୍କ ଅର୍ଧ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି | ଯୁବକ ଜଣକ ନଳାଙ୍ଗ ଅଂଚଳର ଚିତ୍ତ ରଞ୍ଜନ ପାତ୍ର ବୋଲି ଜଣାପଡିଛି | ସେ ଆତ୍ମହତ୍ୟା କରିଛନ୍ତି ନା କିଏ ତାଙ୍କୁ ହତ୍ୟା କରିଛି ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ | ଘଟଣାସ୍ଥଳରେ ପୋଲିସ ପହଂଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି | ଥାନା ଆଇଆଇସି ଏହା ଏକ ଦୁର୍ଘଟଣା ହୋଇଥିବା ବୋଲି ସନ୍ଦେହ କରୁଛନ୍ତି | କାରଣ ଯୁବକଙ୍କ ଘରେ ଥିବା ହିଟର ଉପରେ ଏକ କଡେଇ ବସିଥିଲା | ଚୁଲିରେ କିଛି କଥା ମଧ୍ୟ ଜଳୁଥିବା ପୋଲିସ ଦେଖିବାକୁ ପାଇଛି | ଏହା ସହ ଘରେ ଥିବା ମଶାରୀ ସମ୍ପୂର୍ଣ ପୋଡି ଯାଇଛି | ଯୁବକଙ୍କ ଶରୀରର ଅନେକ ସ୍ଥାନ ପୋଡି ଯାଇଛି | ତେବେ ଯୁବକ ରାତିରେ ମଦ୍ୟପାନ କରିଥିବା ପୋଲିସ ସୂଚନାରୁ ଜଣାପଡିଛି | ରାତିରେ ଯୁବକଙ୍କ ସହ ଆଉ ଜଣେ ମଧ୍ୟ ଥିବା ପୋଲିସ ସୂଚନା ଦେଇଛି | ସେହି ଯୁବକକୁ ପୋଲିସ ଥାନାରେ ଅଟକ ରଖି ପଚରାଉଚୁରା କରୁଛି | ଖବରପାଇ ଚିତ୍ତ ରଞ୍ଜନଙ୍କ ମା' ବଙ୍ଗ ଭାଇ ଘଟଣାସ୍ଥଳରେ ଆସି ପହଂଚିଛନ୍ତି | ସେମାନେ ଘଟଣା ପାଇଁ ପୋଲିସକୁ ଦୋଷାରୋପ କରୁଛନ୍ତି | ଚିତ୍ତ ରଞ୍ଜନଙ୍କ ମା' ଏବଂ ଭାଇଙ୍କ କହିବା ଅନୁଯାୟୀ ପୋଲିସ ସେମାନଙ୍କୁ ମଦ ପିଆଇ ଏଭଳି କରିଥିବା କହି ଥାନା ଆଗରେ ହୋହାଲ୍ଲା କରୁଛନ୍ତି | ପୋଲିସ ଏସଡ଼ିପିଓ ଘଟଣାସ୍ଥଳରେ ପହଂଚି ମୃତକଙ୍କ ଭାଇକୁ ଥାନାରେ ଅଟକ ରଖିଛି |


ସୂଚନାଯୋଗ୍ୟ ଯେ, ମୃତକ ଚିତ୍ତ ରଞ୍ଜନ ୩ ମାସ ବିବାହ କରିଥିଲେ | ଥାନାକୁ ଯେଉଁମାନେ ଏତଲା ଦେବା ପାଇଁ ଆସନ୍ତି ଚିତ୍ତ ରଞ୍ଜନ ତାଙ୍କ ଏତଲା ଲେଖି ରଖନ୍ତି | ସେଠାକାର ଏକ ପ୍ରେସରେ ମଧ୍ୟ ସେ ପାର୍ଟ ଟାଇମ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି | ସେ ରହୁଥିବା ଘର ଭିତରେ ସେ ପ୍ରାୟ ସବୁବେଳେ ମଦ୍ୟ ପାନ କରନ୍ତି | ତେବେ ପ୍ରାଥମିକ ତଦନ୍ତରୁ ପୋଲିସ ଏହାକୁ ଏକ ଦୁର୍ଘଟଣା ବୋଲି କହୁଛି | ତଦନ୍ତ ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.