ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ, ଜଣେ ଯୁବକ ମୃତ

Published By : Prameya-News7 Bureau | March 22, 2019 IST

ବ୍ରଜରାଜନଗର ୨୨|୩: କୋଇଲା ଚୋରା କାରବାର ଓ ଖଣି ମାଫିଆଙ୍କ ଯୋଗୁଁ ବ୍ରଜରାଜନଗର ପୁଣି ଅଶାନ୍ତ ହୋଇପଡିଛି | କୋଇଲା ମାଫିଆଙ୍କ କବଳରେ କବଳିତ ବ୍ରଜରାଜନଗରରେ ଗତ ସଂଧ୍ୟାରେ ଘଟିଯାଇଥିବା ଏକ ଗୁଳିକାଣ୍ଡ ଘଟଣାରେ ଜଣେ ଯୁବକର ମୃତ୍ୟୁ ହୋଇଛି | ଏହି ଗୁଳିକାଣ୍ଡ ଘଟିବା ପରେ ବ୍ରଜରାଜନଗରରେ ବେଆଇନ ମଦ କାରବାର ସହ ଅବୈଧ ନିହା କାରବାରକୁ ମୁଖ୍ୟ କାରଣ ଦର୍ଶାଇଛନ୍ତି ସ୍ଥାନୀୟ ଲୋକେ | ଗତସଂଧ୍ୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ରହିଥିବା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଟିଏ ଗୋଷ୍ଠୀର କିଛି ଯୁବକ ସଂଘବଦ୍ଧ ଭାବେ ମଣ୍ଡଳିଆ ପୋଖରୀ ନିକଟରେ ପିଣ୍ଟୁ ବାଉରୀ ନାମକ ଅନ୍ୟ ଏକ ଗୋଷ୍ଠୀର ସଦସ୍ୟଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚାଳନା କରିବା ପରେ ତାକୁ ନିସ୍ତୁକ ମାଡ ମାରି ଜୀବନରୁ ମାରିଦେବା ପରେ ଫେରାର ହୋଇଯାଇଥିଲେ | ଯୁବକର ମୃତଦେହକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ କେନ୍ଦ୍ରୀୟ ଚିକିତ୍ସାଳୟକୁ ନେବା ପରେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ | ଗତବର୍ଷ ମଧ୍ୟ ମୃତ ପିଣ୍ଟୁ ସହ ଅନ୍ୟ ଜଣେ ସହଯୋଗୀଙ୍କ ଉପରକୁ ଗୁଳିମାଡ କରାଯାଇଥିଲା | ଏହି ଘଟଣା ପରେ ଓରିଏଣ୍ଟ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଗୁଳିକାଣ୍ଡ ଘଟାଇଥିବା ଅସାମାଜିକଙ୍କୁ ଧରି ପାରିନି | ଏହି ଘଟଣା ପରେ ଅଶାନ୍ତ ହୋଇ ପଡିଛି ବ୍ରଜରାଜନଗର ସହର |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.