ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀ ମୃତ, କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ
13/07/2019 at 8:19 AM

ପାଟଣା ୧୩|୭: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ରାଜପଥ ରେଙ୍ଗାଳବେଡା ନିକଟରେ ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ମୁରୁସୁଆଁ ଗ୍ରାମର ସଂଗ୍ରାମ କେଶରୀ ସାହୁ । ସେ ପଟ୍ଟନାୟକ ଷ୍ଟିଲରେ ମେକାନିକାଲ ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ। ରାତିରେ ଡ୍ୟୁଟି ସାରି ଘରକୁ ଫେରୁଥିବାବେଳେ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ୪୯ନମ୍ବର ରାଜପଥକୁ ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ରାଜପଥ ଅବରୋଧ ଯୋଗୁଁ ରାଜପଥରେ ଶହ ଶହ ଗାଡି ମଟର ଅଟକି ରହିଛି । ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ତେବେ ୪୯ ନମ୍ବର ରାଜପଥ ସମ୍ପ୍ରସାରଣ ହୋଉଥିବାରୁ ରାସ୍ତାରେ କୌଣସି ସତର୍କ ସୂଚନା ନ ଥିବାରୁ ଏପରି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି।