ଶ୍ରମିକ ସ୍ପେଶାଲ୍ ଟ୍ରେନରେ ଯୁବକଙ୍କ ମୃତ୍ୟୁ : ଟ୍ରେନରେ ୪ ଘଣ୍ଟା ପଡି ରହିଥିଲା ମୃତଦେହ, ହେଲେ ଛୁଇଁଲାନି ପୋଲିସ୍

Published By : Prameya-News7 Bureau | May 12, 2020 IST

ସତନା ୧୨/୦୫ : ଦେଶବ୍ୟାପୀ ଲକ ଡାଉନ ଯୋଗୁଁ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇବା ପାଇଁ ଶ୍ରମିକ ସ୍ପେଶାଲ ଟ୍ରେନ ଆରମ୍ଭ କରାଯାଇଛି | ଶ୍ରମିକ ସ୍ପେଶାଲ ଟ୍ରେନ ଜଣେ ଶ୍ରମିକଙ୍କ ଜୀବନର ଶେଷ ଯାତ୍ରା ପାଲଟିଗଲା | ଶ୍ରମିକ ସ୍ପେଶାଲ ଟ୍ରେନରେ ଜଣେ ଶ୍ରମିକଙ୍କର ସତନା ନିକଟରେ ମୃତ୍ୟୁ ହୋଇଯାଇଛି | ତାଙ୍କ ମୃତଦେହ ଟ୍ରେନରେ ଘଣ୍ଟାଏ ଯାଏଁ ପଡି ରହିଥିଲା | କରୋନା ଭୟରେ କେହି କେହି ମୃତଦେହ ପାଖକୁ ଯାଇନଥିଲେ | ଘଣ୍ଟେ ପରେ ସରକାରୀ ଟିମ ପହଞ୍ଚିଥିଲେ ଏବଂ ମୃତଦେହ ଟ୍ରେନରୁ ବାହାର କରିଥିଲେ |   

ପୁନେରୁ ପ୍ରୟାଗରଜ ମଧ୍ୟରେ ଆରମ୍ଭ ହୋଇଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ ଅଖିଳେସ ରାଣା ନାମକ ଜଣେ ୨୨ ବର୍ଷ ବୟସ୍କ ଯୁବକଙ୍କ ମୃତ୍ୟୁ ହୋଇଛି | ସେ ଗୋଣ୍ଡା ଜିଲ୍ଲା ନବବଗଂଜ ବାସୀ | ସେ ନିଜର ଦୁଇ ସାଥିଙ୍କ ସହ ପୁନେ ରୁ ପ୍ରୟୋଗରାଜ ଯାଉଥିଲେ | ଅଧା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ସତନା ଜଙ୍କ୍ସନରୁ ଆଗକୁ ମଝାଗବା ପହଞ୍ଚିବା ପରେ ଷ୍ଟେସନରେ ଟ୍ରେନକୁ ଅଟକାଇ ଦିଆଯାଇଥିଲା | ଗାର୍ଡ ଷ୍ଟେସନ ମାଷ୍ଟରଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ | ସନ୍ଧ୍ୟା ସାଢେ ୫ଟା ସମୟରେ ଟ୍ରେନ ମଝାଗବା ପହଞ୍ଚିବାର ଘଣ୍ଟେ ପରେ ମଧ୍ୟ କେହି ପ୍ରଶାସନିକ ଅଧିକାରୀ ସେଠାରେ ପହଞ୍ଚିନଥିଲେ | କିଛି ସମୟ ପରେ ଡାକ୍ତର ଆସି ଡେଥ ସାର୍ଟିଫିକେଟ ଦେଇଥିଲେ | କିଛି ସମୟ ପରେ ଜିଆରପି ଯବାନ ଷ୍ଟେସନରେ ପହଞ୍ଚିଥିଲେ | କିନ୍ତୁ ମୃତଦେହକୁ ହାତ ମାରିବା ପାଇଁ କେହି ରାଜି ନଥିଲେ | କାରଣ ସମସ୍ତେ ତାଙ୍କ ମୃତ୍ୟୁ କରୋନା ଯୋଗୁଁ ହୋଇଥିବା ଆଶଙ୍କା କରୁଥିଲେ | ଟ୍ରେନ ଷ୍ଟେସନରେ ଘଣ୍ଟେରୁ ଅଧିକ ସମୟ ଯାଏଁ ଅଟକି ରହିଥିଲା | ମୃତଦେହ ଟ୍ରେନ କୋଚରେ ହିଁ ପଡି ରହିଥିଲା | ୪ ଘଣ୍ଟା ପରେ ମୃତଦେହକୁ ଟ୍ରେନରୁ ବାହାର କରାଯାଇଥିଲା | ଏହାପରେ ଟ୍ରେନ ଆଗକୁ ବଢିଥିଲା |

ମୃତ ଅଖିଳେସ ରାଣାଙ୍କ ସାଥି ଜିଆରପିକୁ କହିଥିଲେ ଯେ ତାଙ୍କ ପରିବାର କିଛି ସଦସ୍ୟ ପ୍ରୟୋଗରାଜରେ ପହଞ୍ଚି ସାରିଛନ୍ତି | କେବଳ ଅଖିଳେସ ହିଁ ପୁନେରେ ରହି ଯାଇଥିଲେ | ଅଖିଳେସ ପୁନେରୁ ବାହାରିବା ସମୟରେ ଅସୁସ୍ଥ ଥିଲେ | ତାଙ୍କ ଛାତିରେ ଯନ୍ତ୍ରଣା ଥିଲା | ରାସ୍ତାରେ ତାଙ୍କୁ ଅଧିକ ଯନ୍ତ୍ରଣା ହୋଇଥିଲା | ପ୍ରୟୋଗରାଜ ପହଞ୍ଚିବା ପରେ ହସ୍ପିଟାଲ ଯିବେ ବୋଲି ଭାବିଥିଲେ | କିନ୍ତୁ ତା'ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ତେବେ ଅଖିଳେସଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ଏବେ ଯାଏଁ ଜଣାପଡିନାହିଁ | କରୋନା ଯାଞ୍ଚ ପାଇଁ ତାଙ୍କ ମୃତଦେହକୁ ହସ୍ପିଟାଲକୁ ପଠାଇ ଦିଆଯାଇଛି | ତେବେ କରୋନା ଯୋଗୁଁ ଅଖିଳେସଙ୍କ ମୃତ୍ୟୁ ହୋଇଥିବା ଅନ୍ୟ ଯାତ୍ରୀ ଆଶଙ୍କା କରି ଚିନ୍ତିତ ହୋଇ ପଡିଛନ୍ତି | ଯଦି ଅଖିଳେସ କରୋନାରେ ଆକ୍ରାନ୍ତ ଥିଲେ ତେବେ ଟ୍ରେନରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀ ମଧ୍ୟ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.