ଜଗତସିଂହପୁର ପାଇକା ନଦୀରୁ ଅଜଣା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
2/10/2018 at 2:42 PM

ଜଗତସିଂହପୁର ୨/୧୦ : ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ସାମନ୍ତରାପୁର ପଞାୟତ ଅନୁପଲ୍ଲା ଗ୍ରାମର ପାଇକା ନଦୀରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତ ଯୁବକଙ୍କ ବୟସ ୨୫ ରୁ ୩୦ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ପ୍ୟାଣ୍ଟ, ବେଲ୍ଟ ପିନ୍ଧିଥିବା ଯୁବକର ମୃତଦେହ ପାଇକା ନଦୀରେ ଗତକାଲି ଠାରୁ ଭାସୁଥିବା ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡିଛି । ମୃତଦେହ ଭାସୁଥିବା ସ୍ଥାନ ଜଗତସିଂହପୁର ଜିଲ୍ଲାର ତିର୍ତୋଲ,କୁଜଙ୍ଗ ଥାନା ଓ କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନା ଅଞ୍ଚଳର ସଂଗମ ସ୍ଥଳରେ ଥିବା ଜଣାପଡିଛି । ଯେଉଁଥିପାଇଁ ଗତ ଦୁଇଦିନ ଧରି ମୃତଦେହ ଭାସୁଥିଲେ ମଧ୍ୟ ପୋଲିସ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।ଏ ସଂପର୍କରେ ତିର୍ତୋଲ ଥାନାକୁ ସ୍ଥାନୀୟ ଲୋକ ଜଣାଇଥିବା କହୁଥିବା ବେଳେ ଥାନା କର୍ତ୍ତୃପକ୍ଷ ଏ ସଂପର୍କରେ ଜାଣିନଥିବା କହିଛନ୍ତି । ସୁଚନାଯୋଗ୍ୟ ଯେ, ଗତ ପନ୍ଦର ଦିନ ତଳେ ମୁଣ୍ଡ ବିହୀନ ମୃତଦେହ ପାଇକା ନଦୀରୁ ପୋଲିସ ଉଦ୍ଧାର କରିଥିବା ବେଳେ ମେ ମାସରେ ଘଟଣାସ୍ଥଳର ଅନତୀଦୁର ଟିପିରି ଠାରେ ପାଇକା ନଦୀରୁ ପଥରରେ ବନ୍ଧା ଯୁବକର ମୃତଦେହ ତିର୍ତୋଲ ପୋଲିସ ଉଦ୍ଧାର କରିଥିଲେ । ମୃତଦେହ ଭାସୁଥିବା ସ୍ଥାନ ତିନିଟି ଥାନାର ମିଳନ ସ୍ଥଳ ହୋଇଥିବାରୁ ଅପରାଧୀ ମାନଙ୍କ ପାଇଁ ସେଫ୍ ଜୋନ ହୋଇଥିବା କୁହାଯାଇଛି । କେନ୍ଦ୍ରାପଡା ଜିଲ୍ଲାରେ ଅପରାଧୀଙ୍କ କାର୍ଯ୍ୟକଳାପକୁ ଲକ୍ଷକରି ସମସ୍ତ ଘଟଣାର ପୋଲିସ ଛାନଭିନ କରିବାର ଆବଶ୍ୟକତା ରହିଛି ।