ଛିଣ୍ଡି ପଡିଥିବା ୧୧ କେ.ଭି. ବିଦ୍ୟୁତ୍ ତାର ସଜାଡିବା ବେଳେ ବିଦ୍ୟୁତ୍ ଆଘାତରେ ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | July 24, 2020 IST

ବୌଦ୍ଧ ୨୪।୭: ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ । ବୌଦ୍ଧ ଥାନା ମୁଣ୍ଡାପଡା ଗ୍ରାମରେ ଗୁରୁବାର ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବିଦ୍ୟୁତ ବିଭାଗରେ ଠିକାରେ କାମ କରୁଥିବା ମୁଣ୍ଡାପଡା ଗ୍ରାମର ଘୁରୁଣ୍ଡୁ କୁମ୍ଭାରଙ୍କ ପୁଅ ଟୁଲୁ କୁମ୍ଭାର (୨୨ ବର୍ଷ) ଛିଣ୍ଡି ପଡିଥିବା ବିଦ୍ୟୁତ୍ ତାର ସଜାଡିବା ବେଳେ କରେଣ୍ଟ ଆସି ଯିବାରୁ ବିଦ୍ୟୁତ୍ ଆଘାତ ଲାଗିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଠିକା ସଂସ୍ଥା ମାଧ୍ୟମରେ ବିଦ୍ୟୁତ୍ ବିଭାଗରେ କାମ କରୁଥିବା ଟୁଲୁଙ୍କ ଜେଜେ ମା’ଙ୍କର ଗୁରୁବାର ମୃତ୍ୟୁ ହୋଇଥିଲା । ମୁଣ୍ଡାପଡା ଗ୍ରାମ କେନାଲ ନିକଟରେ ୧୧ କେ.ଭି. ତାର ଡାଳ ପଡି ଛିଣ୍ଡି ଯାଇଥିଲା । ସନ୍ଧ୍ୟାରେ ଜେଜେମା’ଙ୍କର ଶବ ସଂସ୍କାର ସାରି ଜହ୍ନାପଙ୍କ ଫିଡରକୁ କରେଣ୍ଟ କାଟିବା ପାଇଁ କହି ତାର ସଜାଡିବାରେ ଲାଗିଥିଲେ । କାମ ସରିବା ଆଗରୁ ହଠାତ୍ ଜହ୍ନାପଙ୍କରୁ କରେଣ୍ଟ ଦିଆଯାଇଥିଲା । ଫଳରେ ବିଦ୍ୟୁତ୍ ଆଘାତ ପାଇ ଟୁଲୁ ଗଛ ଉପରେ ଝୁଲି ରହିଥିଲେ । ତାଙ୍କୁ କରେଣ୍ଟ ଲାଗିବା ପରେ ଫ୍ୟୁଜ ଚାଲିଯାଇଥିଲା ଓ ଦଉଡି ବାନ୍ଧି ତାଙ୍କୁ ତଳକୁ ଅଣାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ବୌଦ୍ଧ ଡାକ୍ତରଖାନା ଅଣାଯାଇଥିଲା । ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉ ଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.