ପୁରୀ କଣାସ ଷ୍ଟେସନ ନିକଟରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ; ତଦନ୍ତ ଦାବିରେ କଟକ ପୁରୀ ପାସେଞ୍ଜର ଟ୍ରେନ ଅଟକ ରଖିଛନ୍ତି ସ୍ଥାନୀୟଲୋକେ
30/12/2018 at 10:47 AM

ପୁରୀ ୩୦/୧୨ : ପୁରୀ ଜିଲ୍ଲା କଣାସ ନିକଟରେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି | ମୃତକ ସ୍ଥାନୀୟ ଜଗଦଳପୁର ଗାଁର ଧିରେନ କୁମାର ରାଉତରାୟ ବୋଲି ଜଣାପଡିଛି | ତାଙ୍କୁ ହତ୍ୟା କରି ରେଳ ଲାଇନ ପାଖେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି | ହତ୍ୟା ଅଭିଯୋଗରେ ପୁରୀ କଟକ ପାସେଞ୍ଜର ଟ୍ରେନକୁ ଅଟକାଇ ଦେଇଛନ୍ତି ସ୍ଥାନୀୟ ଲୋକେ |
ସୂଚନାଯୋଗ୍ୟ ଯେ, ସେହି ରାସ୍ତାରେ ଯାଉଥିବାବେଳେ କିଛି ଲୋକେ ଧିରେନ ରାଉତରାୟଙ୍କ ଖଣ୍ଡ ବିଖଣ୍ଡିତ ଦେଖି ପୋଲିସକୁ ଖବର ଦେଇଥିଲେ | ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି | ଷ୍ଟେସନ କଡରେ ସ୍ଥାନୀୟ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଦେଖିବା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖା ଦେଇଥିଲା | ତେବେ ପ୍ରକୃତ ଘଟଣା କଣ ଏବଂ ତାଙ୍କୁ କାହିଁକି ହତ୍ୟା କରାଯାଇଛି ସେନେଇ ଏବେ କୌଣସି ତଥ୍ୟ ସାମ୍ନାକୁ ଆସିନି | ହତ୍ୟାକାରୀକୁ ତୁରନ୍ତ ଗିରଫ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିବା ସହ କଟକ ପୁରୀ ପାସେଞ୍ଜର ଟ୍ରେନକୁ ଷ୍ଟେସନରେ ଅଟକ ରଖିଛନ୍ତି | ଏନେଇ ପୋଲିସକୁ ଖବର ଦିଆଯାଇଥିଲା ସୁଦ୍ଧା ପୋଲିସର କୌଣସି ଅଧିକାରୀ ଘଟଣାସ୍ଥଳରେ ପହଂଚି ନାହାନ୍ତି କିମ୍ବା ରେଲୱେ ବିଭାଗର କୌଣସି ଅଧିକାରୀ ମଧ୍ୟ ପହଂଚି ନାହାନ୍ତି | ଉତ୍ତେଜିତ ଲୋକେ ଟ୍ରେନ ସମ୍ମୁଖରେ ମୃତଦେହ ରଖି ଧାରଣା ଦେଇଛନ୍ତି | ତେବେ ଯୁବକଙ୍କୁ କିଏ ହତ୍ୟା କରିଛି ନା ଟ୍ରେନରେ କଟି ତାଙ୍କର ମୃତ୍ୟୁ ହୋଇଛି ସେନେଇ ପୋଲିସ ଶୀଘ୍ର ତଦନ୍ତ କରୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି |