ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଞ୍ଜାମରେ ଗୁଳିକାଣ୍ଡ ; ଦୁର୍ବୃତ୍ତଙ୍କ ଗୁଳିମାଡରେ ଯୁବକ ମୃତ

Published By : Prameya-News7 Bureau | November 19, 2018 IST

ଗଞ୍ଜାମ ୧୯|୧୧:  ଗଞ୍ଜାମରେ ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମଠ ସରସିଙ୍ଗିରେ ଏହି ଗୁଳିକାଣ୍ଡ ହୋଇଛି। ମୃତକ ହେଲେ ଜେ.ସଚ୍ଚିନା ଗାଁର ରାଜେନ୍ଦ୍ର ପରିଡ଼ା। ଜନଗହଳିପୂର୍ଣ୍ଣ ବିଚ୍ ରାସ୍ତାରେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ରାଜେନ୍ଦ୍ର କିଛିଦିନ ପୂର୍ବରୁ ସୁରତରୁ ଆସି ସିମେଣ୍ଟ କାମ କରୁଥିଲେ। ଆଜି ସକାଳେ ସେ ଏକ ହୋଟେଲକୁ ଚା ପିଇବାକୁ ଯାଇଥିବା ବେଳେ ତାଙ୍କୁ ଗୁଳିମାଡ଼ ହୋଇଥିଲା। ରାସ୍ତା କଡରେ ଥିବା ଏକ ଚା ଦୋକାନରେ ଚା ପିଉଥିବା ବେଳେ କିଛି ଦୁର୍ବୁତ୍ତ ଅଚାନକ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ରାଜେନ୍ଦ୍ରଙ୍କ ଦେହରେ ଚାରୋଟି ଗୁଳି ବାଜିଛି। ସ୍ଥାନୀୟ ଲୋକେ ଘଟଣା ସଂପର୍କରେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ  ପୋଲିସ ପହଞ୍ଚି ରାଜେନ୍ଦ୍ରକୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ଗତ ୧୫ ଦିନ ହେଲା ରାଜେନ୍ଦ୍ର ଗୁଜରାଟ୍‌ରୁ ଫେରିଥିଲେ। ତେବେ କଣ ପାଇଁ ଯୁବକକୁ ହତ୍ୟା କରାଗଲା ସେ ନେଇ ପୋଲିସ ଛାନ୍‌ଭିନ୍ ଆରମ୍ଭ କରିଛି। ଘଟଣାସ୍ଥଳରୁ ପୋଲିସ ଖୋକା ଜବତ କରିଛି। ଘଟଣାରେ ପୋଲିସ ଅଧିକ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.