ଯୁବକଙ୍କ ସୁଖ ଗାଁକୁ ଦୁଃଖ : ବେଙ୍ଗାଲୁରୁରୁ ଆସିଥିଲେ ପଶ୍ଚିମବଙ୍ଗରେ ବାହାହେଲେ, ଏବେ ଆଣିଛନ୍ତି କରୋନା

Published By : Prameya-News7 Bureau | May 15, 2020 IST

ଜଳେଶ୍ବର ୧୫।୫: ପ୍ରେମ କରି ବିବାହର ପ୍ରତିଶ୍ରୁତି ଦେଇଥିଲେ ଯୁବକ । ମାତ୍ର ପ୍ରତିଶ୍ରୁତି ପାଳନ ପାଇଁ କଣ୍ଟା ସାଜିଥିଲା ମହାମାରୀ କରୋନା । କରୋନା ଲକ୍ ଡାଉନ୍ ସତ୍ତ୍ବେ ବି ମାନି ନଥିଲେ ଯୁବକ । ବେଙ୍ଗାଲୁରୁରୁ ଆସି ଓଡିଶା ପାଇଁ ଚିନ୍ତାର କାରଣ ପାଲଟିଥିବା ପଶ୍ଚିମବଙ୍ଗକୁ ଯାଇ ବିବାହ କରିଥିଲେ ଯୁବକ । ମାତ୍ର ଯୁବକଙ୍କୁ ତାର ପରିଣାମ ଭୋଗିବାକୁ ପଡିଛି । ଯୁବକ ଜଣଙ୍କ କରୋନା ପଜିଟିଭ ଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ୍ ସୁନାଧରବସାଣ ପଞ୍ଚାୟତର ଏହି ୨୭ ବର୍ଷ ବୟସ୍କ ଯୁବକ ପଶ୍ଚିମବଙ୍ଗ କଣ୍ଟେଇ ଅଞ୍ଚଳରେ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଅପ୍ରେଲ ୧୭ ତାରିଖରେ ଯୁବକ ଜଣଙ୍କ କଣ୍ଟେଇ ଯାଇ ଉକ୍ତ ଯୁବତୀଙ୍କୁ ବିବାହ କରିଥିଲେ । ବିବାହ ପରେ ନବଦମ୍ପତି ସାଙ୍ଗରେ ତାଙ୍କ ଶାଳୀଙ୍କୁ ଆଣି ନିଜ ଘରେ ରହିଥିଲେ । ଏ ସଂପର୍କରେ ସ୍ଥାନୀୟ ପଞ୍ଚାୟତ କିମ୍ବା ପ୍ରଶାସନ ନିକଟରେ କୌଣସି ସୂଚନା ନଥିଲା । ତେବେ କିଛି ଦିନ ପରେ ସେହି ଅଞ୍ଚଳର ଆଶାକର୍ମୀ କୌଣସି ସୂତ୍ରରୁ ଏ ଖବର ଜାଣି ପ୍ରଶାସନକୁ ଅବଗତ କରିଥିଲେ । ମେ ୬ ତାରିଖରେ ସମ୍ପୃକ୍ତ ଯୁବକଙ୍କ ସହ ତାଙ୍କ ପତ୍ନୀ ଓ ଶାଳୀଙ୍କର ସ୍ବାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ରିପୋର୍ଟ ଆସିବା ପରେ କେବଳ ଯୁବକ ଜଣଙ୍କ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ମାତ୍ର ତାଙ୍କଠାରେ ଏ ନେଇ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ । ହେଲେ ଏହି ସମୟ ମଧ୍ୟରେ ସେ ନିଜ ସାଙ୍ଗସାଥୀ, ଗାଁ ଲୋକଙ୍କ ସହ ମିଶିବା ସହ ଭୋଜି ଖାଇବା ତଥା ବଜାରକୁ ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏ ନେଇ ପ୍ରଶାସନ ତଥା ଅଞ୍ଚଳବାସୀଙ୍କ ଚିନ୍ତା ବଢିଯିବା‌ ସହ ସଂପୃକ୍ତ ଯୁବକଙ୍କ ଦ୍ବାରା ଏକାଧିକ ଲୋକ ସଂକ୍ରମିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ତେବେ  ସମ୍ପୃକ୍ତ ଯୁବକଙ୍କ ପରିବାର, ପଡୋଶୀ ଏବଂ ସାଙ୍ଗସାଥୀଙ୍କୁ ମିଶାଇ ୧୩୦ ଜଣଙ୍କଠାରୁ ସ୍ବାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ଆକ୍ରାନ୍ତ ଯୁବକ ଜଣଙ୍କ ସୁନାଧରବସାଣ ପଞ୍ଚାୟତ ଓ ପାର୍ଶ୍ବବର୍ତ୍ତୀ ଭୋଗରାଇ ପଞ୍ଚାୟତର ବିଭିନ୍ନ ଗାଁ ବୁଲାବୁଲି କରିଛନ୍ତି । ସମ୍ପୃକ୍ତ ଦୁଇ ପଞ୍ଚାୟତର ସରପଞ୍ଚ ସେହି ଅଞ୍ଚଳକୁ ୭୨ ଘଣ୍ଟିଆ ସଟ୍‌ ଡାଉନ୍‌ ଘୋଷଣା କରିଛନ୍ତି । ‌ସେହିପରି ଏହି ବ୍ଲକର କାନ୍ଥିଭଉଁରୀ ପଞ୍ଚାୟତକୁ ମଧ୍ୟ ସେଠାକାର ସରପଞ୍ଚ ଏହି ଯୁବକଙ୍କ ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଥିବା ସୂଚନନା ମିଳିଛି।

ତେବେ କରୋନା କଟକଣା ଜାରି ସତ୍ତ୍ବେ ଯୁବକ ଜଣଙ୍କ ପ୍ରେମକୁ ସଫଳ କରିବାପାଇଁ ନିୟମକୁ ଅମାନ୍ୟ କରି ବିବାହ କରିଥିଲେ । ଫଳରେ ନିଜେ ବିପଦକୁ ଡାକି ଆଣିବା ସହ ଗ୍ରାମବାସୀଙ୍କୁ ବିପଦରେ ପକାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.