କଲେଜ୍ ଛାତ୍ରୀଙ୍କୁ ୭ରୁ ୮ଜଣ ଯୁବକ ମାରିଲେ ନିସ୍ତୁକ ମାଡ଼ , ଭିଡିଓ ଭାଇରାଲ
8/07/2019 at 3:19 PM

ସମ୍ବଲପୁର ୮/୭: ଜଣେ ନାବାଳିକା କଲେଜ୍ଛାତ୍ରୀଙ୍କୁ ୭ରୁ ୮ଜଣ ଯୁବକ ଏକ ନିଛାଟିଆ ସ୍ଥାନରେ ନିସ୍ତୁକ ପିଟିବା ଭିଡିଓ ଏବେ ସମ୍ବଲପୁରରେ ମୋବାଇଲ୍କୁ ମୋବାଇଲ୍ ଘୁରି ବୁଲୁଛି। ମାଡମାରୁଥିବା ଯୁବକ ମାନେ ସମ୍ବଲପୁରରୀ ଭାଷାରେ କଥାବାର୍ତ୍ତା କରୁଥିବା ବେଳେ, ଏହି ଭିଡିଓଟି ସମ୍ବଲପୁରର କେଉଁ ଏକ ସ୍ଥାନରେ ହୋଇଥିବା ପୋଲିସ୍ ସନ୍ଦେହ କରୁଛି। ପୋଲିସ୍ ନିଜ ଆଡୁ ମାମଲାର ଛାନ୍ଭିନ୍ କରୁଥିବା ବେଳେ, ସବୁ ଥାନାକୁ ତଦନ୍ତ କରି ସଂପୃକ୍ତ ସ୍ଥାନ ଓ ଯୁବକମାନଙ୍କୁ ଚିହ୍ନଟ କରିବାକୁ ଏସ୍ଡିପିଓ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀ ଯୁବକ ମାନଙ୍କୁ ତୁରନ୍ତ ଗିରଫ କରିବା ସହ, ସଂପୃକ୍ତ କଲେଜଛାତ୍ରୀଙ୍କୁ ଠାବ କରି ନ୍ୟାୟ ପ୍ରଦାନ କରିବାକୁ ମହିଳା ସଂଗଠନ ଦାବି କରିଛି।
ପୋଷାକରୁ ଛାତ୍ରୀ ଜଣକ କୌଣସି ଏକ କଲେଜର ବୋଲି ଜଣାପଡୁଥିଲେ ମଧ୍ୟ,ନିର୍ଦ୍ଧିଷ୍ଟ ଭାବରେ କେଉଁ କଲେଜର ଜଣାପଡିନାହିଁ। ସେହିପରି ଭିଡିଓଟି ଦେଖିଲେ ସ୍ପଷ୍ଟ ଜଣା ପଡୁଛି ଯେ, ନିଜ ପୁରୁଷ ବନ୍ଧୁଙ୍କ ସହ ଏହି ଛାତ୍ରୀ ଜଣକ କୌଣସି ଏକ ନିଛାଟିଆ ସ୍ଥାନରେ ଥିବା ବେଳେ, ହଠାତ୍ କିଛି ଯୁବକ ସେଠାରେ ପହଞ୍ଚି ଯାଇଥିଲେ। ପୁରୁଷବନ୍ଧୁ ଜଣକ ଯୁବତୀଙ୍କୁ ଏକୁଟିଆ ଛାଡି ଘଟଣାସ୍ଥଳରୁ ଚାଲିଯିବା ପରେ, ଏହି ଯୁବକମାନଙ୍କ ହାବୁଡରେ ଯୁବତୀ ଜଣକ ପଡିଯାଇଥିଲେ। ପରେ ଅତି ନିର୍ଦ୍ଦୟ ଓ ଅମାନୁଷିକ ଭାବରେ ବାଡିରେ ଏହି ୭ରୁ ୮ଜଣ ଯୁବକ ଯୁବତୀଙ୍କୁ ପିଟି ଚାଲିଥିଲେ। ଯେତେ କାକୁତି ମିନତି ହେଲେ ମଧ୍ୟ, ଯୁବକମାନେ ସଂପୃକ୍ତ ଯୁବତୀଙ୍କୁ ଛାଡିନଥିବା ଦେଖିବାକୁ ମିଳିଛି। ଏକ ମିନଟ ୩୩ସେକେଣ୍ଡର ଏହି ଭିଡିଓଟି ସମ୍ବଲପୁର ସହରର ଆଖପାଖ ଅଞ୍ଚଳର ବୋଲି ପୋଲିସ୍ ସନ୍ଦେହ କରୁଛି। କାରଣ ପିଟୁଥିବା ଯୁବକମାନେ ଓ ପୀଡିତା ଉଭୟ ସମ୍ବଲପୁରୀ ଭାଷାରେ କଥା ହେଉଥିବା ବେଳେ, ଯୁବକମାନେ ଆସିଥିବା ମୋଟରସାଇକେଲ୍ ଓ ଏକ ପିକ୍ଅପ୍ ଭ୍ୟାନ୍ର ନମ୍ବର ସମ୍ବଲପୁରର ବୋଲି ଜଣାପଡୁଛି। ଏହାକୁ ନେଇ ବିଭିନ୍ନ ମହିଳା ସଂଗଠନ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ, ପୋଲିସ୍ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରି ଗିରଫ କରିବା ସହ, ସଂପୃକ୍ତ ଯୁବତୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି।
ଭିଡିଓଟି ଭାଇରାଲ୍ ହେବାପରେ, ପୋଲିସ୍ ନିଜ ଆଡୁ ଏହାର ତଦନ୍ତ ଆରମ୍ଭ କରିଛି। ସମ୍ବଲପୁର ସଦର ଏସ୍ଡିପିଓ କହିଛନ୍ତି ଯେ, ଏହି ମାମଲାକୁ ଗୁରୁତର ସହ ନିଆଯାଇଛି। କେଉଁସ୍ଥାନରେ ଏଭଳି ବିଭତ୍ସ ଘଟଣା ଘଟିଛି ସେ ନେଇ ତଦନ୍ତ କରାଯାଉଛି। ସ୍ଥାନ ଚିହ୍ନଟ ହେବାପରେ, ସଂପୃକ୍ତ ଅଞ୍ଚଳରେ ଏହି ଭିଡିଓରେ ଥିବା ଯୁବକମାନଙ୍କୁ ଚିହ୍ନଟ କରିବା ସହ,ସେମାନଙ୍କୁ ନିଶ୍ଚିତ ଗିରଫ କରାଯିବ। ଏ ନେଇ ସମସ୍ତ ଆଇଆଇସିଙ୍କୁ ଖବର ଦିଆଯାଇଛି। ଖୁବ୍ଶୀଘ୍ର ଅଭିଯୁକ୍ତ ମାନେ ଗିରଫ ହେବା ସହ, ସଂପୃକ୍ତ ଯୁବତୀଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ଏସ୍ଡିପିଓ କହିଛନ୍ତି।
ପୁର୍ବରୁ ମଧ୍ୟ ଏଭଳି ଏକ ଭିଡିଓ ସମ୍ବଲପୁରରେ ଭାଇରାଲ୍ ହେବାପରେ,ପୋଲିସ୍ ଏହାକୁ ନିଜ ଅଞ୍ଚଳର ନୁହେଁ ବୋଲି କହିଥିଲା। ହେଲେ ଏହି ଭିଡିଓଟି କେବେ ଓ କେଉଁଠାରେ କିଏ ସୁଟିଂ କରିଥିଲା ଓ ସଂପୃକ୍ତ ଯୁବକମାନେ କିଏ ସେ ନେଇ ପୋଲିସ୍ ତନାଘନା ଆରମ୍ଭ କରିଦେଇଛି।