ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର ; ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତା ଅବରୋଧ
20/08/2018 at 3:45 AM

ପୁରୀ ୨୦/୮ : ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ଜାଉଁଳିପୋଖରୀ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ହେଉଛନ୍ତି ବେଗୁନିଆ ଗାଁର ନିରଞ୍ଜନ ବେହେରା । ଗତକାଲି ରାତିରେ ଦିବାକର ମଳିକ ଓ ବିପିନ ସେନାପତିଙ୍କ ସହ ଭୋଜି କରିବାକୁ ବାଲିଘାଇ ଯାଇଥିଲେ । କିନ୍ତୁ ରାତିରେ ଘରକୁ ଫେରି ନଥିଲେ । ଆଜି ସକାଳୁ ନିରଞ୍ଜନଙ୍କ ମୃତଦେହ ମିଳିଥିଲା । ନିରଞ୍ଜନ ବାଲିଘାଇ ଅଞ୍ଚଳର ଜଣଙ୍କଠାରୁ ୨ ଲକ୍ଷ ଟଙ୍କା ସୁଧରେ ଆମିଥିଲେ । ତେଣୁ ଦୁଇ ସାଙ୍ଗ ଦିବାକର ଓ ବିପିନଙ୍କ ସହ ସୁଧ ଦେଇଥିବା ଲୋକଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ରାମଚଣ୍ଡି ଥାନାରେ ପରିବାର ଲୋକେ ଏତଲା ଦେଇଥିଲେ । କିନ୍ତୁ ସୀମା ବିବାଦକୁ ନେଇ ରାମଚଣ୍ଡି ଥାନା ଗୋପ ଥାନାକୁ ଏତଲା ପଠାଇ ଦେଇଥିଲା । ପୋଲିସ ବିଳମ୍ବରୁ ପହଞ୍ଚିବାରୁ ଗ୍ରାମବାସୀ ବାଲିଘାଇ ଓ ବେଗୁନିଆରେ ରାସ୍ତା ଅବରୋଧ କରିଛନ୍ତି । ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।