ବିଫଳ ପ୍ରେମିକର ଉନ୍ମତକାଣ୍ଡ : ବିଚ୍ ରାସ୍ତାରେ ଦୁଇ ଯୁବତୀଙ୍କୁ ଛୁରା ମାଡ

Published By : Prameya-News7 Bureau | November 05, 2020 IST

ନୂଆପଡା ୫।୧୧: ପ୍ରେମ ନିବେଦନ କରି ବିଫଳ ହେବାରୁ ରାସ୍ତା ଉପରେ ଦିନ ଦ୍ବିପ୍ରହରରେ ଦୁଇ ଯୁବତୀଙ୍କୁ ଛୁରା ମାଡ଼ କରିଛନ୍ତି ଜଣେ ହାଇସ୍କୁଲ କିରାଣୀ । ଏବେ ରସିକିଆ କିରାଣୀ ଥାନାରେ ଅଟକ ରହିଥିବା ବେଳେ ଦୁଇ ଯୁବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନୂଆପଡ଼ା ଜିଲ୍ଲା ବୋଡ଼େନ ଅଞ୍ଚଳରେ ଘଟିଛି ଏଭଳି ଘଟଣା ।

ବୁଧବାର ପୂର୍ବାହ୍ଣରେ ବୋଡେନ ଥାନାଞ୍ଚଳର ଦୁଇ ଜଣ ଯୁବତୀ ବୋଡେନ ବଜାରକୁ ସାମଗ୍ରୀ କିଣିବାକୁ ଆସିଥିଲେ । ଦୁଇ ଜଣ ଯୁବତୀ କିଛି ଫେନ୍‌ସୀ ସାମଗ୍ରୀ କିଣି ସାଇକେଲରେ ନିଜ ଗାଁକୁ ଫେରୁଥିଲେ । ଏହି ସମୟରେ ବୁଏରଗାଁ ହାଇସ୍କୁଲର କିରାଣୀ ଲଲିତ ନାଏକ (୪୩) ଯୁବତୀଙ୍କ ପାଖକୁ ଆସି ତାଙ୍କୁ ଓଭର୍‌ଟେକ୍‌ କରି ଅଟକାଇଥିଲେ । ସେଠାରେ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ । ଲଳିତ ବିବାହିତ ହୋଇଥିବାରୁ ଯୁବତୀ ଜଣକ ତାଙ୍କର ପ୍ରେମକୁ ବାରଣ କରିଥିଲେ । ଲଳିତ ଯୁବତୀଙ୍କ ସହ ଯୁକ୍ତିତର୍କ କରିବାରୁ ଉଭୟଙ୍କ ମଧ୍ୟରେ ତୀବ୍ର ବଚସା ହୋଇଥିଲା । ଏହାକୁ ଯୁବତୀଙ୍କ ସାଙ୍ଗ ପ୍ରତିବାଦ କରିଥିଲେ । ଲଲିତ ଉତ୍ତ୍ୟକ୍ତ ହୋଇ ପକେଟରେ ଧରିଥିବା ଛୁରା ବାହାର କରି ଯୁବତୀଙ୍କୁ ଆକ୍ରମଣ କରିଥିଲା ।

ଯୁବତୀଙ୍କ ଅଣ୍ଟାରେ ଛୁରା ମାରିବାରୁ ତଳେ ପଡ଼ି ଯାଇଥିଲେ । ଯୁବତୀଙ୍କ ସାଙ୍ଗ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଅଣ୍ଟା, ମୁହଁ, ଛାତି, ପଛପଟେ ଆକ୍ରମଣ କରିଥିଲେ । ଦୁଇ ଜଣ ଯୁବତୀ ଲହୁଲୁହାଣ ହୋଇ ତଳେ ପଡି ଯାଇଥିଲେ । ସ୍ଥାନୀୟ ଲୋକ ଉଭୟ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ବୋଡେନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ବୋଡେନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲଲିତଙ୍କୁ କାବୁ କରିଥିଲା । ଅନ୍ୟପକ୍ଷରେ ଦୁଇ ଜଣ ଯୁବତୀ ବୋଡେନ ସିଏଚସିରେ ଭର୍ତ୍ତି ହୋଇଛନ୍ତି । ପୋଲିସ ମାମଲା ରୁଜୁ କରି ଲଲିତଙ୍କୁ ଅଟକ ରଖି ତଦନ୍ତ ଚଲାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.