ହେଲମେଟ୍ ଚେକିଂ ବେଳେ ବାଇକ୍ ଆରୋହୀଙ୍କୁ ମାଡ ମାରି ରକ୍ତାକ୍ତ କରିଦେଲେ ପୋଲିସ ବାବୁ, ଥାନା ଘେରିଲେ ଲୋକେ

Published By : Prameya-News7 Bureau | January 14, 2021 IST

ରାଇରଙ୍ଗପୁର ୧୪।୧: ହେଲମେଟ୍ ଚେକିଂ ନାଁରେ ପୋଲିସର ଜୁଲମ ଅଭିଯୋଗ । ଗାଡି ଚେକିଂ ବେଳେ ଅମାନିଆଙ୍କୁ ଫାଇନ୍ ବଦଳରେ ମିଳୁଛି ମାଡ। ପୋଲିସ ମାଡରେ ଅମାନିଆ ରକ୍ତାକ୍ତ ହେବା ପରେ ଘଟଣାସ୍ଥଳରେ ଦେଖାଦେଇଛି ଉତ୍ତେଜନା । ଏପରି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲାର ଗଣପର୍ବ ଅବସରରେ ଜାମଦା ଥାନା ପାସନା ଗାଁର ଲୁଗୁ ହାଁସଦା ନାମକ ଏକ ଆଦିବାସୀ ଯୁବକ ଜାମଦା ବଜାରକୁ ମକର ପର୍ବ ପାଇଁ କିଛି ଜିନିଷ କିଣିବାକୁ ଆସିଥିଲେ । ପୋଲିସର ହେଲମେଟ୍ ଚେଙ୍କିଙ୍ଗ ଚାଲିଥିଲା ବେଳେ ଯୁବକ ହେଲମେଟ୍ ପିନ୍ଧିନଥିବା ବେଳେ ପୋଲିସ ନିକଟରେ ଅଟକିବାରେ ବିଳମ୍ବ କରିଥିଲେ । ପୋଲିସ କର୍ମୀଙ୍କ ଲାଠି ମାଡରେ ଯୁବକ ଜଣଙ୍କ ରକ୍ତାକ୍ତ ହୋଇଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଫାଇନ୍ ବଦଳରେ ପୋଲିସର ଜୁଲମକୁ ବିରୋଧ କରି ସ୍ଥାନୀୟ ଲୋକେ ଜାମଦା ଥାନା ଘେରାଉ କରିଥିବା ଜଣାପଡ଼ିଛି । ଆହତ ଯୁବକକୁ ବୁଝାସୁଝା କରି ଜାମଦା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ପୋଲିସ ଲୋକଙ୍କୁ ବୁଝାସୁଝା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.