ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପକାଇ ଯୁବକ ଗିରଫ

Published By : Prameya-News7 Bureau | April 02, 2021 IST

ରାଇରଙ୍ଗପୁର ୨।୪: କୋଭିଡ୍ ଟିକା ଦେବାରେ ବିଳମ୍ବ ହେବାରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପକାଇ ଗିରଫ ହେଲେ ମଦ୍ୟପ ଯୁବକ । ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସରଗୋଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ସରଗୋଡା ଗ୍ରାମର ଜୟରାମ ମାରାଣ୍ଡି ନାମକ ବ୍ୟକ୍ତି ସ୍ବାସ୍ଥ୍ୟକେନ୍ଦ୍ରକୁ କୋଭିଡ୍ ଟିକା ନେବାକୁ ଯାଇଥିଲେ । କିନ୍ତୁ କେନ୍ଦ୍ରରେ ଆଗରୁ ଟିକା ପାଇଁ ଲୋକଙ୍କ ଭିଡ଼ ଲାଗିଥିବାରୁ ଜୟରାମକୁ ବେଶ କିଛି ସମୟ ଅପେକ୍ଷା କରିବାକୁ ପଡିଥିଲା । ଯାହାକୁ ଜୟରାମ ବରଦାସ୍ତ କରି ପାରିନଥିଲା । ଜୟରାମର ପୂର୍ବପୁରୁଷ ଦାନରେ ଦେଇଥିବା ଜମିରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ହୋଇଛି ଓ ତାକୁ ଟିକା ଦେବାରେ ବିଳମ୍ବ କରାଯିବାରୁ ସ୍ବାସ୍ଥ୍ୟକର୍ମୀଙ୍କୁ ଗାଳି କରିବା ସହିତ ମାରଧାର କରିବାକୁ ଉଦ୍ୟମ କରିଥିଲା । ଶେଷରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପକାଇ ଦେଇଥିଲା । ଯାହା ଫଳରେ କିଛି ସମୟ ପର୍ଯ୍ୟନ୍ତ ଅଭାବନୀୟ ପରିସ୍ଥିତି ଉପୁଜିବା ସହିତ ଅନେକ ଟିକା ନନେଇ ପାରି ଫେରି ଯାଇଥିଲେ । ଗୋରୁମହିଷାଣୀ ପୋଲିସ ଖବର ପାଇ ସ୍ବାସ୍ଥକେନ୍ଦ୍ରର ତାଲା ଖୋଲିବା ସହିତ ଅଭିଯୁକ୍ତ ଜୟରାମକୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.