ରେଜିଷ୍ଟ୍ରେସନ୍ ପାଇଁ ୧୫ଶହ, ଜଏନ୍ ପୂର୍ବରୁ ୩୦ହଜାର : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ

Published By : Prameya-News7 Bureau | November 30, 2020 IST

ନୂଆପଡା ୩୦।୧୧: ଚାକିରୀ ଦେବା ନାଁରେ ଠକେଇ ଅଭିଯୋଗ ପରେ ଗିରଫ ହେଲା ଠକ ଯୁବକ । ମେଡିକାଲର ବିଭିନ୍ନ ପଦବୀ ପାଇଁ ଡିମାଣ୍ଡ କରୁଥିଲା ଟଙ୍କା । ରେଜିଷ୍ଟ୍ରେସନ ପାଇଁ ନେଉଥିଲା ୧୫ ଶହ ଟଙ୍କା । ନୂଆପଡା ଜିଲ୍ଲା ଖଡିଆଳ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଠକେଇ ଘଟଣା ।

{"id":370131,"sizeSlug":"large"}

ସୂଚନାଯୋଗ୍ୟ ଯେ, କରୋନା କାଳରେ ପ୍ରବାସୀ ବେକାରୀ ଯୁବକ-ଯୁବତୀଙ୍କ ପାଇଁ ରୋଜଗାର ନିହାତି ଜରୁରୀ ହୋଇ ପଡିଥିଲା । ଏହି ସମୟରେ ମେଡିକାଲରେ ଚାକିରୀ ନେଇ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲାଗିଥିଲା ପୋଷ୍ଟର । ଯେଉଁଥିରେ ୱାର୍ଡ ଆଟେଣ୍ଡାଣ୍ଟ, ଏଏନଏମ୍, ଡାଟା ଏଣ୍ଟ୍ରି ଅପରେଟର, ସିକ୍ୟୁରିଟିଗାର୍ଡ ଭଳି ପଦବୀ ପାଇଁ ୯ ହଜାରରୁ ୧୨ହଜାର ପର୍ଯ୍ୟନ୍ତ ରହିଥିଲା ଦରମା । ବିଜ୍ଞାପନ ମାଧ୍ୟମରେ ଏକ ନିର୍ଦ୍ଧିଷ୍ଟ ମୋବାଇଲ ନମ୍ବରରେ ଯୋଗାଯୋଗ ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଯୋଗାଯୋଗ କଲେ ପ୍ରଥମେ ରେଜିଷ୍ଟ୍ରେସନ ବାବଦକୁ ୧୫ଶହ ଟଙ୍କା ଜମା କରିବା ପାଇଁ ଯୁବକ ଜଣଙ୍କ କହୁଥିଲା । ଚାକିରୀ ଆଶାରେ ଅନେକ ଯୁବକ ଯୁବତୀ ଆବେଦନ କରିବା ସହ ୧୫ଶହ ଟଙ୍କା ମଧ୍ୟ ଦେଇଥିବା ବେଳେ ଅଞ୍ଚଳରୁ ଲକ୍ଷାଧିକ ଟଙ୍କା ଠକିଥିବା ଜଣାପଡିଛି ।

{"id":370132,"sizeSlug":"large"}

ଖଡିଆଳ ଅଞ୍ଚଳ ରାନିମୁଣ୍ଡା ଗ୍ରାମର ଜଣେ ଯୁବକଙ୍କ ପାଖକୁ ନକଲି ନିଯୁକ୍ତି ପତ୍ର ଓ ଆଇଡି କାର୍ଡ ପଠାଇ କାମରେ ଯୋଗ ଦେବା ପୂର୍ବରୁ ୩୦ହଜାର ଦେବାକୁ ପଡିବ ବୋଲି କହିଥିଲା । ଯାହାକୁ ବିରୋଧ କରିବାରୁ ଠକ ଜଣକ ମାରି ଦେବାର ଧମକ ମଧ୍ୟ ଦେଇଥିଲା । ଫଳରେ ଯୁବକ ଜଣକ ଖଡିଆଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ନୂଆପଡା ଏସପି ରାହୁଲ ଜୈନଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଗଠନ କରି ଠକକୁ ଧରିବା ପାଇଁ ଜାଲ ବିଛାଇଥିଲେ । ଶେଷରେ କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଚିଚେଇଗୁଡା ଗ୍ରାମର ଲକ୍ଷ୍ମୀକାନ୍ତ ମେହେର ଓରଫ କାଳିଆ ନାମକ ଠକକୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି । ତାଠାରୁ ୧୨ ହଜାର ୪ ଶହ ଟଙ୍କା ଜବତ କରିଥିବା ବେଳେ ବିଜ୍ଞାପନ ସହ ୩ଟି ମୋବାଇଲ ଜବତ କରା ଯାଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଖଡିଆଳ ଏସଡିପିଓ ବିରଞ୍ଚି ନାରାୟଣ ଦେହୁରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.