କୂଅରେ ପଡିଗଲେ ମହିଳା, ଉଦ୍ଧାର କରିବାକୁ ଯାଇ ମହିଳାଙ୍କ ସହ ଯୁବକଙ୍କ ମୃତ୍ୟୁ
5/07/2019 at 2:49 PM

ଢେଙ୍କାନାଳ ୫|୭: ଢେଙ୍କାନାଳ ରାସୋଳ ଥାନା ଅନ୍ତର୍ଗତ ଗୁଆଘରିଆ ଗାଁରେ ଘଟିଛି ଅଭାବନୀୟ ଘଟଣା । କୂଅରୁ ପାଣି କାଢିବା ବେଳେ କୂଅ ଭିତରେ ଗଳିପଡିଥିବା ଜଣେ ମହିଳାଙ୍କୁ ଉଦ୍ଧାର କରିବା ପାଇଁ କୂଅ ଭିତରକୁ ଯୁବକ ଡେଇଁ ପଡିବା ଯୋଗୁଁ ଉଭୟ ମହିଳା ଓ ଯୁବକଙ୍କ ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ ଯେ, ଆଜି ଦିନ ଗୋଟାଏ ବେଳେ ଗୁଆଘରିଆ ଗାଁର ନଳୀନି ନାୟକ କୂଅରୁ ପାଣି କାଢିବା ବେଳେ କୂଅ ଭିତରକୁ ଖସିପଡିଥିଲେ । ଏକଥା ଜାଣିବା ପରେ ଗାଁର ବହୁ ଲୋକ କୂଅ ପାଖରେ ରୁଣ୍ଡ ହୋଇ ମହିଳାଙ୍କୁ କିଭଳି ଉଦ୍ଧାର କରାଯିବ ଯୋଜନା କରୁଥିଲେ । ତେବେ ଗୁଆଘରିଆ ଗାଁରେ ଥିବା ନିଜ ବନ୍ଧୁ ଘରକୁ ଯାଇଥିବା ତାଳଚେରର ଆକାଶ ନାୟକ ସେଠାରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିବା ଲାଗି କୂଅ ଭିତରକୁ ଯାଇଥିଲେ । କୂଅଟି ଅତ୍ୟଧିକ ଗଭୀର ଥିଲା । ତେବେ କୂଅ ଭିତରକୁ ଯିବା ପରେ ଉଭୟ ଆକାଶ ଓ ନଳିନୀଙ୍କ ମୃତ୍ୟୁ ହୋଇଥିଲା । ସମ୍ଭବତଃ କୂଅ ଭିତରକୁ ଯିବାବେଳେ ଆକାଶଙ୍କ ମୁଣ୍ଡରେ ଆଘାତ ଲାଗିଥିବା ମୃତ୍ୟୁର କାରଣ ବୋଲି ଅନୁମାନ କରାଯାଉଛି । ଅପରପକ୍ଷରେ ଠିକ୍ ସମୟରେ ଉଦ୍ଧାର କରାଯାଇନପାରିବାରୁ ନଳିନୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଏହି ଘଟଣା ପରେ ସମଗ୍ର ରାସୋଳ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଉଭୟଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।