ପ୍ରବାସୀ ଶ୍ରମଜୀବୀଙ୍କୁ କହିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ- ଆପଣମାନେ ମୋ ରାଜ୍ୟରେ ସୁରକ୍ଷିତ ଅଛନ୍ତି, ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ

Published By : Prameya-News7 Bureau | April 14, 2020 IST

ମୁମ୍ବାଇ ୧୪।୦୪: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଙ୍ଗଳବାର ଦ୍ଵିପ୍ରହରରେ ବାନ୍ଦ୍ରା ରେଲଓ୍ଵେ ଷ୍ଟେସନ ନିକଟରେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକଙ୍କ ଭିଡ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ପ୍ରବାସୀ ଶ୍ରମ ଜୀବୀଙ୍କୁ ଆଶ୍ଵାସନା ଦେଇ କହିଛନ୍ତି ଯେ, ସେମାନଙ୍କୁ ଦୁଇ ସପ୍ତାହରେ ଘରକୁ ପଠାଇବାକୁ ବ୍ୟବସ୍ଥା କରାଯିବ। ବାନ୍ଦ୍ରାରେ ଆଜି କିଛି ଘଟିଛି ଏହାକୁ ନେଇ କହିବାକୁ ଚାହୁଁଛି ଯେ, ଶ୍ରମିକଙ୍କୁ ଭୟ କରିବାର ଆବଶ୍ୟକତା ନାହିଁ। ଆମେ ସମସ୍ତଙ୍କ ଅସୁବିଧା ଦୂର କରିବାକୁ ଚେଷ୍ଟା କରିବୁ। ଆପଣମାନେ ମୋ ରାଜ୍ୟରେ ସୁରକ୍ଷିତ ଅଛନ୍ତି, ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ।

ଠାକରେ  ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜନତାଙ୍କୁ ସମ୍ବୋଧିତ କରି ବାନ୍ଦ୍ରାରେ ଘଟିଥିବା ଘଟଣା ଉପରେ କହିଛନ୍ତି ଯେ, ଆପଣମାନେ ଚିନ୍ତା କରନ୍ତୁ ନାହିଁ। ଏହା ଆହ୍ଵାନଭରା ସମୟ ଏବଂ ଆମେ ଆପଣଙ୍କର ସବୁ ଧ୍ୟାନ ରଖିବୁ। କେହି ମଧ୍ୟ ଚାହାନ୍ତି ନାହିଁ ଯେ ଆପଣ ଲକ୍‌ଡାଉନ୍‌ରେ ରୁହନ୍ତୁ। ଏହି ଘଟଣାକୁ ନେଇ ଠାକରେ କହିଛନ୍ତି ଯେ, କାହାରି କହିବା ପରେ ହିଁ ଏହି ଭିଡ ଏକତ୍ର  ହୋଇଥିଲେ। ତେଣୁ କେହି ଏହାକୁ ନେଇ ରାଜନୀତି କରନ୍ତୁ ନାହିଁ। କେହି ମଧ୍ୟ ଏହାକୁ ଏମିତି ଗୁଜବ ପ୍ରଚାର କରନ୍ତୁ ଯେଉଁଥିରେ ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି ହେବ। ଏହି ଘଟଣାରେ ଆଇନତଃ କାର୍ଯ୍ୟାନୁଷ୍ଠାନ ହେବ। ଠାକରେ କହିଛନ୍ତି ଆଜି ସେ ଅମିତ୍ ଶାହା, ସୋନିଆ ଗାନ୍ଧୀ ଓ ଶରଦ ପାଓ୍ଵାରଙ୍କ ସହ ଆଲୋଚନା କରିଛନ୍ତି।

ଗୃହ ମନ୍ତ୍ରୀ ଅମିତ୍ ଶାହା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଫୋନ କରି ବାନ୍ଦ୍ରାରେ ଏକଜୁଟ ଭିଡ ଘଟଣା ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଗୃହ ମନ୍ତ୍ରୀ ଜୋର ଦେଇ କହିଛନ୍ତି ଯେ, ଏହି ଧରଣର ଘଟଣା କରୋନା  ଭାଇରସ୍‌ ଲଢେଇକୁ ଦୁର୍ବଳ କରିଥାଏ। ଏମିତି ଘଟଣାରୁ ବର୍ତ୍ତିବା ପାଇଁ ପ୍ରଶାସନକୁ ସତର୍କ ରହିବା ଜରୁରୀ।

ଉଲ୍ଲେଖଯୋଗ୍ୟ, ଆଜି ମୁମ୍ବାଇ ବାନ୍ଦ୍ରା ରେଲଓ୍ଵେ ଷ୍ଟେସନ ନିକଟରେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକଙ୍କ ଭିଡ ଦେଖିବାକୁ ମିଳିଥିଲା। ଏହି ସବୁ ଶ୍ରମଜୀବୀ ଗୁଜବର ଶିକାର ହୋଇଥିଲେ ଯେ, ଆଜି ଲକ୍‌ଡାଉନ୍ ଶେଷ ହୋଇଛି। ତେଣୁ ବାନ୍ଦ୍ରା ଷ୍ଟେସନରେ ଘରକୁ ଯିବାକୁ ଟ୍ରେନ ମିଳିଯିବ ଭାବି ଏତେ ସଂଖ୍ୟାରେ ଶ୍ରମିକ ବାନ୍ଦ୍ରା ଅଞ୍ଚଳରେ ଭିଡ ଜମାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.