ମହଙ୍ଗା ହେବାକୁ ଯାଉଛି ଟ୍ରେନ ଟିକେଟ୍, ୧୦୦୦ରୁ ଅଧିକ ଷ୍ଟେସନରେ ଦେବାକୁ ପଡିବ ୟୁଜର ଚାର୍ଜ
17/09/2020 at 9:15 PM

ନୂଆଦିଲ୍ଲୀ ୧୭।୦୯: ରେଲଓ୍ଵେ ଯାତ୍ରା ପାଇଁ ଏବେ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ। ରେଲଓ୍ଵେ ବୋର୍ଡର ଅଧ୍ୟକ୍ଷ ତଥା ସିଇଓ ବିନୋଦ କୁମାର ଯାଦବ ସୂଚନା ଦେଇ କହିଛନ୍ତି ବିମାନ ବନ୍ଦର ପାଇଁ ଆଦାୟ ହେଉଥିବା ୟୁଜର ଚାର୍ଜ ପରି ରେଲଓ୍ଵେ ଷ୍ଟେସନରେ ମଧ୍ୟ ୟୁଜର ଚାର୍ଜ ଆଦାୟ କରାଯିବ। ଏହା ସହିତ ଯାତ୍ରୀଙ୍କୁ ଭେଲ୍ୟୁ ଆଡେଡ୍ ସର୍ଭିସ୍ ମଧ୍ୟ ଯୋଗାଇ ଦିଆଯିବ।
ରେଲଓ୍ଵେ ଆଜି ଘୋଷଣା କରିଛି ଯେ, ମୋଟ୍ ରେଲଓ୍ଵେ ଷ୍ଟେସନର ୧୦ ରୁ ୧୫ ପ୍ରତିଶତ ଷ୍ଟେସନରେ ୟୁଜର ଚାର୍ଜ ନିଆଯିବ। ସିଆରବି ଓ ସିଇଓ ସୂଚନା ଦେଇଛି ଯେ, ୧୦୫୦ ଷ୍ଟେସନରେ ଯାତ୍ରୀଙ୍କ ଫୁଟ୍ଫଲ ବୃଦ୍ଧି କରାଯିବ। ଫୁଟ୍ଫଲ ବୃଦ୍ଧି ହେଲେ ଷ୍ଟେସନର କ୍ଷମତା ପାଇଁ ପୁନଃନିର୍ମାଣ କରାଯିବ। ଏହି ସବୁ ଷ୍ଟେସନଗୁଡିକରେ ୟୁଜର ଚାର୍ଜ ନିଆଯିବ ବୋଲି ରେଲଓ୍ଵେ କହିଛି। ଦେଶରେ ରେଲଓ୍ଵେର ପ୍ରାୟ ୭୦୦୦ ଷ୍ଟେସନ ରହିଛି।
କେତେ ରହିବ ୟୁଜର ଚାର୍ଜ
ସିଆରବି ଭିକେ ଯାଦବ ସୂଚନା ଦେଇ କହିଛନ୍ତି ୟୁଜର ଚାର୍ଜ ପାଇଁ ରେଲଓ୍ଵେ ଶୀଘ୍ର ବିଜ୍ଞପ୍ତି ଜାରି କରିବ। କିନ୍ତୁ ୟୁଜର ଚାର୍ଜ କେତେ ରହିବ ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଏକ ଛୋଟ ରାଶି ୟୁଜର ଚାର୍ଜ ଭାବେ ନିଆଯିବ। ରେଲଓ୍ଵେ ଅନୁସାରେ ବଡ ରେଲଓ୍ଵେ ଷ୍ଟେସନ ଏବଂ ଜନଗହଳିପୂର୍ଣ୍ଣ ରେଲଓ୍ଵେ ଷ୍ଟେସନରେ ୟୁଜର ଚାର୍ଜ ଆଦାୟ କରାଯିବ। ଏହି ୟୁଜର ଚାର୍ଜ ଯାତ୍ରୀଙ୍କ ଟିକେଟ୍ ଭଡାରେ ଯୋଡି କି ନିଆଯିବ ବୋଲି ସେ କହିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗର ସିଇଓ ଅମିତାଭ କାନ୍ତ କହିଛନ୍ତି ପ୍ରାଇଭେଟ୍ ଟ୍ରେନର ଭଡା ମାର୍କେଟ୍ ହିସାବରେ ସ୍ଥିର କରାଯିବ। ଯାତ୍ରୀଙ୍କୁ ଭେଲ୍ୟୁ ଆଡେଡ୍ ସର୍ଭିସ ମଧ୍ୟ ଯୋଗାଇ ଦିଆଯିବ। ଘରୋଇକରଣରେ ରେଲଓ୍ଵେକୁ ପ୍ରାୟ ୩୦ ହଜାର କୋଟି ଟଙ୍କା ନିବେଶ ଆସିବାର ଆଶା ରହିଛି।