ହ୍ୟାକରଙ୍କ କବଳରେ ଆପଣଙ୍କ ସ୍ମାର୍ଟ ଫୋନ୍ ଏବଂ କମ୍ପ୍ୟୁଟର : ସୋମବାର ଏବଂ ବୁଧବାର ରୁହନ୍ତୁ ସାବଧାନ

Published By : Prameya-News7 Bureau | September 25, 2018 IST

ଆପଣ ନିଜ ଇମେଲ୍ ଏବଂ ଫୋନରେ ଆସୁଥିବା ମ୍ୟାସେଜକୁ ସବୁବେଳେ କ୍ଲିକ୍ କରିଦିଅନ୍ତି କି; ଯଦି ହଁ ତେବେ ସତର୍କ ହୋଇଯାଆନ୍ତୁ। ଆମେରିକାର ସାଇବର ସୁରକ୍ଷା ଫାର୍ମ ‘ଫାୟର୍ ଆଇ’ର ଏକ ସର୍ଭେରୁ ଜଣା ପଡ଼ିଛି ଯେ ସାରା ଦୁନିଆରେ ପଠାଯାଉଥିବା ପ୍ରତ୍ୟେକ ଶହେଟି ଏମେଲ ମଧ୍ୟରୁ ଗୋଟିଏ ଇମେଲ୍ ଡାଟା ଚୋରି କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥାଏ। ଖାସ୍ କଥା ହେଲା ଏହା ଯେ, ଡାଟା ଚୋରିରେ ସକ୍ଷମ ହେଉଥିବା ଇମେଲ୍ ଗୁଡିକ ସାଧାରଣତଃ ସୋମବାର ଏବଂ ବୁଧବାର ପଠାଯାଏ। ସେଥିପାଇଁ ଏହି ଦିନଗୁଡିକରେ ଆପଣଙ୍କୁ ଅଧିକ ସତର୍କ ରହିବାକୁ ହେବ । ତେବେ ଆସନ୍ତୁ ଜାଣିବା ସାଇବର୍ ଚୋରିର ଏହି ନୂଆ ଖେଳ ସମ୍ପର୍କରେ କେତେକ ଗୁରୁତ୍ବପୂର୍ଣ୍ଣ କଥା। ଏହା ସହିତ ଜାଣିବା କିପରି ହ୍ୟାକରଙ୍କ କବଳରୁ ବର୍ତ୍ତିହେବ ଏବଂ ହ୍ୟାକରଙ୍କୁ ଧରିବା ପାଇଁ କ’ଣ କ’ଣ ସାବଧାନତା ଅବଲମ୍ବନ କରିବା ଦର୍କାର। ଏହି ସର୍ଭେରୁ ଏକ ଚାଞ୍ଚଲ୍ୟକର କଥା ଜଣାପଡିଛି । ହ୍ୟାକର୍ ଆପଣଙ୍କ କମ୍ପ୍ୟୁଟରକୁ ଏପରି ଡାଟା ପଠାନ୍ତି ଯାହା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ଇମେଲ ସହ ଜଡ଼ିତ ସମ୍ବେଦନଶୀଳ ଡାଟାକୁ ଚୋରି କରିବାରେ ସକ୍ଷମ ହୋଇଥାଏ। ଆପଣ ଟିକିଏ ସତର୍କ ହୋଇ ସାବଧାନତା ଅବଲମ୍ବନ କଲେ ହ୍ୟାକର୍ ତା ଉଦ୍ଦେଶ୍ୟରେ ବିଫଳ ହେବ। ଏଥିପାଇଁ ଆପଣ ନିଜ ଫୋନରେ ଭଲ କମ୍ପାନୀର ଆଣ୍ଟିଭାଇରସ୍ ଲୋଡ୍ କରନ୍ତୁ । ଏହା ସହିତ ଏହାକୁ ସମୟ ସମୟରେ ଅପଡେଟ୍ କରନ୍ତୁ। ନିଜ ଫୋନ୍ କିମ୍ବା କମ୍ପ୍ୟୁଟରରେ ଆସୁଥିବା ପ୍ରତି ମ୍ୟାସେଜ ଉପରେ ନଜର ରଖନ୍ତୁ ଏବଂ ଏହାକୁ କଦାପି ନଜରଅନ୍ଦାଜ କରନ୍ତୁ ନାହିଁ। ଏଥିସହିତ କୈାଣସି ଆକର୍ଷକ ମେଲ୍ କିମ୍ବା ଅଫରରେ ଟିକେ ବି ସନ୍ଦେହ ହେଲେ ଏହା ବିଷୟରେ ଭଲ କରି ଯାଞ୍ଚ କରନ୍ତୁ। ଏଥିପାଇଁ ଆପଣ ଗୁଗଲର ସହାୟତା ମଧ୍ୟ ନେଇପାରିବେ। ଗୁଗଲ୍ ଆପଣଙ୍କୁ ଏହି ହ୍ୟାକରଙ୍କୁ ଧରିବାରେ ସାହାଯ୍ୟ କରିବ। ହ୍ୟାକରଙ୍କୁ ଧରିବା ପାଇଁ ଆଉ ଏକ ଉପାୟ ଅଛି। ଇମେଲ୍ ପଠାଉଥିବା ୟୁଜରସ୍ ଏବଂ ଓ୍ବେବସାଇଟର ୟୁଆରଏଲକୁ ଭଲ ଭାବେ ଦେଖନ୍ତୁ। ଯଦି ଏଥିରେ ବନାନଗତ ତୃଟି ଥିବ ତେବେ ନିଶ୍ଚିତଭାବରେ ଏଥିରେ ହ୍ୟାକରର ସଂପୃକ୍ତି ରହିଛି। ଏହା ଜାଣିବା ପରେ ଆପଣ ସର୍ବପ୍ରଥମେ ନିଜ ବ୍ୟାଙ୍କର ନେଣଦେଣକୁ ବନ୍ଦ କରିଦିଅନ୍ତୁ। ଯଦି ଆପଣ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ କରୁଛନ୍ତି ତେବେ ଏହାର ପାସଓ୍ବାର୍ଡ ବଦଳାଇଦିଅନ୍ତୁ। ନିଜ ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡକୁ ବ୍ଲକ୍ କରିଦିଅନ୍ତୁ। ଏହା ପରେ ଆପଣଙ୍କ କମ୍ପ୍ୟୁଟରରେ ଆଣ୍ଟିଭାଇରସକୁ ଖୋଲି ଏହି ଭାଇରସକୁ ଚିହ୍ନନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.