ହାତୀର ଗୋବରରୁ ତିଆରି ହୁଏ ଆପଣଙ୍କ ଫେଭରାଇଟ୍ କଫି, ଦାମ ହଜାର ହଜାର ଟଙ୍କା…
21/10/2019 at 12:17 PM

ନୂଆଦିଲ୍ଲୀ୨୧|୧୦: ସାଧାରଣତଃ ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟ ଓ ପେୟ ଲାଗି ବହୁ ସାମଗ୍ରୀ ବ୍ୟବହାର କରିଥାନ୍ତି। ଏମିତି କି ପ୍ରତିଦିନ ସକାଳୁ ଚା’ କଫି ଦ୍ବାରା ଦିନ ଆରମ୍ଭ ହୋଇଥାଏ। ଏମିତି କିଛି ଖାଦ୍ୟ ଓ ପେୟ ସାମଗ୍ରୀ ରହିଛି ଯାହାର ତିଆରି ପ୍ରଣାଳୀ ସଂପର୍କରେ କେହି ଜାଣି ନଥିବେ। ଏହା କେଉଁ କେଉଁ ଜିନିଷରୁ ପ୍ରସ୍ତୁତ କରାଯାଉଛି ସେହି ସଂପର୍କରେ ବି କେହି ଜାଣି ନଥାନ୍ତି। ଅଧିକାଂଶ ଲୋକ କଫି ପିଇବା ପାଇଁ ବହୁତ ପସନ୍ଦ କରନ୍ତି। ତେବେ କଫି ଗଛରୁ କଫି ତିଆରି ହେବା ସହ ଆଉ କେଉଁଥିରୁ ତିଆରି ହୁଏ? ଆସନ୍ତୁ ଏ ସଂପର୍କରେ ଜାଣିବା।

ଏହି କଫିର ଦାମ ଅଧିକ । ତଥାପି ଲୋକେ ଏହାକୁ ବ୍ୟବହାର କରିଥାନ୍ତି। ଆମେ ଯେଉଁ କଫି ସଂପର୍କରେ କହିବା ପାଇଁ ଚାହୁଁଛୁ ଏହି କଫି ସାଧାରଣ କଫିଠାରୁ ସମ୍ପୂର୍ଣ୍ଣ ଅଲଗା। ଏହି କଫିର ନାଁ ହେଉଛି ବ୍ଲାକ୍ ଆଇଭୋରି ବ୍ଲେଣ୍ଡ କଫି (Black Ivory Blend Coffee) । ଉତ୍ତର ଥାଇଲ୍ୟାଣ୍ଡରେ ଏହି କଫି ପ୍ରସ୍ତୁତ କରାଯାଇଥାଏ। ଏହି କଫି ହାତୀର ଗୋବରରୁ ପ୍ରସ୍ତୁତ କରାଯାଇଥାଏ। କିନ୍ତୁ ହାତୀ ଗୋବରରୁ କଫି ତିଆରି କରିବା ପ୍ରକ୍ରିୟା ବହୁତ ଜଟିଳ । ତେଣୁ ବ୍ଲାକ୍ ଆଇଭୋରି ବ୍ଲାଣ୍ଡ କଫି କିଲୋ ପିଛା ୧୧୦୦ ଡଲାର ଅର୍ଥାତ ଭାରତୀୟ ମୁଦ୍ରା ଅନୁସାରେ ୬୭୦୦୦ ହଜାର ଟଙ୍କା।

ଏହି କଫି ତିଆରି କରିବା ପ୍ରକ୍ରିୟା ବହୁତ ଆଶ୍ଚର୍ଯ୍ୟଜନକ। ପ୍ରଥମେ ହାତୀକୁ କଫିର କଞ୍ଚା ଫଳ ଖାଇବା ଦିଆଯାଇଥାଏ। ହାତୀ ପେଟରେ କଫି ଫଳ ହଜମ ହେବା ପରେ ସେ ଗୋବର ଆକାରରେ ମଳତ୍ୟାଗ କରିଥାଏ। ଏହା ପରେ ହାତୀ ଗୋବରରୁ କଫିଫଳ ଖୋଜା ହୋଇଥାଏ। ହାତୀ ଗୋବରରୁ ବାହାରିଥିବା କଫି ଫଳକୁ ଖରାରେ ଶୁଖା ହୋଇଥାଏ। ଖରାରେ ଭଲକରି ଶୁଖିଲା ପରେ ସେହି ଫଳକୁ ପେଶା ଯାଇଥାଏ। ଏହାପରେ ବ୍ଲାକ୍ ଆଇଭୋରି ବ୍ଲାଣ୍ଡ କଫି ପ୍ରସ୍ତୁତ ହୋଇଥାଏ। ଥାଇଲ୍ୟାଣ୍ଡରେ ବ୍ଲାକ୍ ଆଇଭୋରି ବ୍ଲାଣ୍ଡ କଫିର ବ୍ୟବହାର ବହୁ ମାତ୍ରାରେ ହୋଇଥାଏ। ସୂଚନା ମୁତାବକ ଏହି କଫି ବହୁତ ସ୍ବାଦିଷ୍ଟ ହେବା ସହ କଡା ବି ଲାଗି ନଥାଏ।