ସାବଧାନ ! ସାମାନ୍ୟ ଭୁଲ ପାଇଁ ଖାଲି ହୋଇଯାଇପାରେ ଆପଣଙ୍କ ଆକାଉଣ୍ଟ, ଜାଣନ୍ତୁ ସାଇବର ଫ୍ରଡରୁ କିପରି ପାଇବେ ରକ୍ଷା

Published By : Prameya-News7 Bureau | June 10, 2021 IST

ନୂଆଦିଲ୍ଲୀ ୧୦/ ୦୬ : ବିଶ୍ବର ବିଭିନ୍ନ ପ୍ରାନ୍ତରେ ଟେକ୍ନୋଲୋଜିର ବିକାଶ ହେବା ଫଳରେ ମଣିଷର ଦୈନନ୍ଦିନ ଜୀବନଯାପନ ଆହୁରି ସହଜ ହୋଇଯାଇଛି । ଖାସ କରି ଭାରତ କଥା କହିବାକୁ ଗଲେ, ବିମୁଦ୍ରୀକରଣ ପରେ ଡିଜିଟାଲ କାରବାର ଅହେତୁକ ବୃଦ୍ଧି ପାଇଛି । ସମୟ ଗଡିବା ସହିତ ଅଧିକ ସଂଖ୍ୟକ ଲୋକ ଏହାକୁ ବ୍ୟବହାର କରୁଛନ୍ତି । କିନ୍ତୁ ଡିଜିଟାଲ୍ ପେମେଣ୍ଟ ବୃଦ୍ଧି ସହିତ ଅନଲାଇନ୍ ଠକେଇ ଏବେ ପ୍ରମୁଖ ଚିନ୍ତାର କାରଣ ପାଲିଟିଛି ।

କରୋନା ମହାମାରୀ କାରଣରୁ ଦେଶର ଅନେକ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାକିରି ମଧ୍ୟ ଚାଲିଯାଉଛି । କିନ୍ତୁ ଏହାରି ମଧ୍ୟରେ ଆଉ ଏକ ବଡ ସମସ୍ୟା ହେଉଛି ସାଇବର ଠକେଇ । ଅନଲାଇନ ଲୁଟେରାମାନେ ବିଭିନ୍ନ ପ୍ରଲୋଭନ ଦେଖାଇ ଅତି ସହଜରେ ଆକାଉଣ୍ଟ ଖାଲି କରିଦେଉଛନ୍ତି । କିଛି ଦିନ ତଳେ ଦେଶର ଅନ୍ୟତମ ସଫଳ ଟେଲିକମ ସେବା ଯୋଗାଉଥିବା ସଂସ୍ଥା ଏୟାରଟେଲର ସିଇଓ ଗୋପାଳ ବିଟ୍ଟଲ, ସାଇବର ଅପରାଧୀଙ୍କ ଠାରୁ ରକ୍ଷା ପାଇବା ପାଇଁ ସାବଧାନ କରିଥିଲେ । ଆଜିର ଦିନରେ ଅନଲାଇନ ହ୍ୟାକିଂ ମଧ୍ୟ ବୃଦ୍ଧିପାଇଛି । ଯେଉଁଥିପାଇଁକି  OTP ସ୍କାମରୁ ସାବଧାନ ରହିବା ଉଚିତ ।

ଅନ୍ୟପଟେ ବିଭିନ୍ନ ସିକ୍ୟୁରିଟି ଏକ୍ସପର୍ଟ ମଧ୍ୟ ଚେତାବନୀ ଦେଇସାରିଛନ୍ତି ଯେ, ଜାଲ ଆପ୍ଲିକେସନ ମାଧ୍ୟମରେ ୟୁଜରମାନଙ୍କର ଡାଟା ଲିକ ହେଉଛି ।

ୟୁଜରମାନଙ୍କୁ KYC ଭେରିଫିକେସନ ନାଁରେ ଅନେକଗୁଡିଏ ମେସେଜ ଆସୁଛି । ସେଥିରେ ଚେତାବନୀ ଦିଆଯାଉଛି ଯେ, 'ଯଦି ୨୪ ଘଣ୍ଟା ମଧ୍ୟରେ ଆପଣ  KYC ଭେରିଫିକେସନ ନକରୁଛନ୍ତି ତେବେ ଆପଣଙ୍କ ନମ୍ବର ବନ୍ଦ କରିଦିଆଯିବ ।' ଏଭଳି ଭାବେ ଲିଙ୍କରେ କ୍ଳିକ୍‌ କରି ଭିତରକୁ ଯିବା ପରେ ବିଭିନ୍ନ ପ୍ରଲୋଭନ ଦେଖିବାକୁ ମିଳୁଛି ଏବଂ ମାତ୍ର କେଇ ମିନିଟ ମଧ୍ୟରେ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଉଛି ।

ଠକେଇ ବିଷୟରେ କିପରି ଜାଣିବେ ?

୧. ଯଦି ଆପଣ ଠକେଇକୁ ଚିହ୍ନଟ କରିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆପଣଙ୍କୁ ସେହି ମେସେଜରେ ଥିବା ସ୍ପେଲିଂ ବା ଉଚ୍ଚାରଣକୁ ଯାଞ୍ଚ କରିବାକୁ ପଡିବ, ଅଧିକାଂଶ ନକଲି ବାର୍ତ୍ତା ଏହିପରି ତ୍ରୁଟିରେ ପରିପୂର୍ଣ୍ଣ ଏବଂ ଏହା ସହିତ ସେଗୁଡ଼ିକରେ ଅନେକ ତ୍ରୁଟି ମଧ୍ୟ ରହିଥାଏ । କିନ୍ତୁ ଜଣେ ବୁଦ୍ଧିମାନ ବ୍ୟକ୍ତିଙ୍କ ପାଇଁ ଏହିପରି ଭୁଲଗୁଡ଼ିକୁ ଚିହ୍ନିବା ସହଜ, ମାତ୍ର ଜଣେ ସାଧାରଣ ଲୋକ ଏଥିରେ ଫସିଯିବାର ସମ୍ଭାବନା ଅଧିକ ରହିଛି ।

୨. ଆପଣ ଧ୍ୟାନ ଦେବା ଉଚିତ୍ ଯେ ଯଦି କୌଣସି ଟେଲିକମ୍ କମ୍ପାନୀ ଆପଣଙ୍କର KYC ସୂଚନା ମାଗେ, ତେବେ ଏଥିପାଇଁ ସେମାନଙ୍କ ଅଫିସିଆଲ୍‌ ନମ୍ବରରୁ ହିଁ ଫୋନ ଆସିବ । କିନ୍ତୁ ଯେଉଁମାନେ ଠକେଇ କରୁଛନ୍ତି ସେମାନଙ୍କ ନମ୍ନର ନିୟମିତ ନମ୍ବର ଭଳି ଆସିବ ।  ଯଦି ଆପଣଙ୍କୁ କୌଣସି ମେସେଜ କିମ୍ବା କଲ୍ ମାଧ୍ୟମରେ କିଛି ସୂଚନା ପାଇଁ ପଚରାଯାଏ କିମ୍ବା ଯଦି ଆପଣଙ୍କୁ ସନ୍ଦେହପୂର୍ଣ୍ଣ ଲିଙ୍କ୍ ଆସେ ତେବେ ତାହା ଉପରେ କ୍ଲିକ୍ କରନ୍ତୁ ନାହିଁ  ।

୩. ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ, ଲୋକଙ୍କୁ ଏପରି ବାର୍ତ୍ତା ପ୍ରତି ସତର୍କ ରହିବାକୁ ଚେତାବନୀ ଦେଇଛି। ଯଦି କୌଣସି ଉପଭୋକ୍ତା ଏହି ପ୍ରକାରର ମେସେଜ ପାଆନ୍ତି, ଯାହାକୁ ନେଇ ସନ୍ଦେହ ରହିଛି ତେବେ ତାହା ଉପରେ କ୍ଲିକ୍ କରନ୍ତୁ ନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.