ଇଂଲଣ୍ଡ ଗସ୍ତ ପୂର୍ବରୁ ପାକିସ୍ତାନକୁ ଝଟକା, ବ୍ୟାଟିଂ କୋଚ୍ ପଦରୁ ଇସ୍ତଫା ଦେଲେ ୟୁନିସ୍ ଖାନ

Published By : Prameya-News7 Bureau | June 22, 2021 IST

ଇସଲାମାବାଦ ୨୨/ ୦୬ : ପାକିସ୍ତାନ କ୍ରିକେଟ ଟିମର ବୋଲିଂ କୋଚ ପଦରୁ ଇସ୍ତଫା ଦେଇଛନ୍ତି ୟୁନିସ୍ ଖାନ । ପିସିବି ମଧ୍ୟ ୟୁନିସ୍‌ଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିନେଇଥିବା ସୂଚନା ମିଳିଛି । କିନ୍ତୁ କେଉଁଥି ପାଇଁ ସେ ଇସ୍ତଫା ଦେଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଆଗାମୀ ଦିନରେ ପାକିସ୍ତାନର ବ୍ୟସ୍ତ ଖେଳସୂଚୀ ଅଛି କିନ୍ତୁ ଏହା ପୂର୍ବରୁ ଦଳର ବ୍ୟାଟିଂ କୋଚ ଇସ୍ତଫା ଦେବା ସମସ୍ତଙ୍କୁ  ଚକିତ କରିଛି ।

ଜୁନ ୨୫ ରୁ ଜୁଲାଇ ୨୦ ଯାଏଁ ଇଂଲଣ୍ଡ ଗସ୍ତରେ ଯିବ ପାକିସ୍ତାନ କ୍ରିକେଟ ଟିମ । ସେଠାରେ ୩ଟି ଦିନିକିଆ ଏବଂ ୩ଟି ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ ଖେଳିବ । ଏହାପରେ ଜୁଲାଇ ୨୧ ରୁ ଅଗଷ୍ଟ ୨୪ ତାରିଖ ଯାଏଁ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯିବ ପାକିସ୍ତାନ ଟିମ । ଓ୍ବେଷ୍ଟଇଣ୍ଡିଜ ବିରୁଦ୍ଧରେ ୫ଟି ଟ୍ବେଣ୍ଟି ଟ୍ବେଣ୍ଟି ଏବଂ ୨ଟି ଟେଷ୍ଟ ମ୍ୟାଚ ଖେଳିବ ।

ଏହା ପୂର୍ବରୁ ପିସିବି ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ବ୍ୟାଟିଂ କୋଚ ବିନା ଇଂଲଣ୍ଡ ଗସ୍ତ କରିବ ଟିମ । ଏହା ପରେ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ବ୍ୟାଟିଂ କୋଚ ନିଯୁକ୍ତି ପାଇଁ ପରେ ନିଷ୍ପତ୍ତି ନିଆଯିବ । ତେବେ ୟୁନିସ ଖାନ ନିଜ ଆଡୁ ହିଁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଦଳରେ ନିଜର ଭୂମିକାରେ ଖୁସି ନଥିବ ୟୁନିସ୍ ଚୟନକର୍ତ୍ତା ଭାବେ ଅଧିକ ଦଖଲ ଚାହୁଁଥିଲେ । ଗତବର୍ଷ ନଭେମ୍ବର ମାସରେ ୨ ବର୍ଷ ପାଇଁ ୟୁନିସ ଖାନଙ୍କୁ ପାକିସ୍ତାନର ବ୍ୟାଟିଂ କୋଚ ନିଯୁକ୍ତ କରାଯାଇଥିଲା । ୨୦୨୨ ଆଇସିସି ଟି-୨୦ ବିଶ୍ବକପ ପାଇଁ ମଧ୍ୟ ଦଳରେ ପ୍ରଶିକ୍ଷକ ଦାୟିତ୍ବରେ ରହିଥାନ୍ତେ ୟୁନିସ ଖାନ । କିନ୍ତୁ ଏହା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି ।

ପାକିସ୍ତାନର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଓ୍ବାସିମ ଖାନ କହିଛନ୍ତି, ୟୁନିସ୍ ଖାନଙ୍କ ଭଳି ଅନୁଭବି କୋଚ ଇସ୍ତଫା ଦେବା ଦୁଃଖଦ ଘଟଣା । ସେ କହିଛନ୍ତି, ପାକିସ୍ତାନର ଉଦୀୟମାନ ଖେଳାଳୀମାନଙ୍କୁ ୟୁନିସଙ୍କ ଭଳି ବିଶେଷଜ୍ଞ ଆବଶ୍ୟକ । ପିସିବି ପାଇଁ ୟୁନିସ ଖାନଙ୍କ ଯୋଗଦାନ ସ୍ମରଣୀୟ ହୋଇ ରହିବ ବୋଲି ଓ୍ବାସିମ ଖାନ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.