ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ

Published By : Prameya-News7 Bureau | October 23, 2020 IST

ନୂଆଦିଲ୍ଲୀ ୨୩।୧୦: ରାଜଧାନୀ ଦିଲ୍ଲୀରେ ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି । ଦିଲ୍ଲୀ ସ୍ଥିତ ମୁଣ୍ଡକା ଅଞ୍ଚଳରେ ଦୁଇ ଭାଇଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଝଗଡା ଏତେ ବଢିଯାଇଥିଲା ଯେ ସାନ ଭାଇ ବଡ ଭାଇ ଏବଂ ତାଙ୍କ ପତ୍ନୀଙ୍କୁ ରଡ୍ ରେ ଆକ୍ରମଣ କରିଥିଲେ । ଫଳରେ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା । ୬୦ କିଲୋମିଟର ଦୂରରେ ଏକ ଶୂନଶାନ୍ ସ୍ଥାନରେ ଉଭୟଙ୍କ ମୃତଦେହ ଫିଙ୍ଗିଦେଇଥିଲେ ।

ପୋଲିସର ସୂଚନା ଅନୁସାରେ ମୁଣ୍ଡକା ଫ୍ରେଣ୍ଡସ ଏନକ୍ଲେଭରେ ୪୦ ବର୍ଷ ବୟସ୍କ ରାଜେଶ ଓରଫ ରାଜୁ ଲାକଡା ତାଙ୍କ ପତ୍ନୀ ରୁଚି ଏବଂ ତିନି ପିଲାଙ୍କ ସହ ରହୁଥିଲେ । ରାଜେଶ ମଦ୍ୟପାନ କରୁଥିଲେ । ସେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ସହ ମଦ ପିଇ ଝଗଡା କରୁଥିଲେ । କିଛି ଦିନ ହେବ ସେ କୌଣସି କାମ କରୁନଥିଲେ । ଏହାକୁ ନେଇ ରାଜେଶ ଏବଂ ତାଙ୍କ ସାନ ଭାଇଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହେଉଥିଲା ।

ଅକ୍ଟୋବର ୧୬ ତାରିଖରେ ରାଜେଶ ମଦ୍ୟପାନ କରି ଘରକୁ ଫେରିଥିଲେ । ସେହି ସମୟରେ ସାନ ଭାଇ ଶ୍ରୀଭଗବାନଙ୍କ ସହ ତାଙ୍କର ଝଗଡା ହୋଇଥିଲା । ଝଗଡା ଏତେ ଭୀଷଣ ହୋଇଯାଇଥିଲା ଯେ ଶ୍ରୀଭଗବାନ ତାଙ୍କୁ ଲୁହା ରଡ୍ ରେ ଆକ୍ରମଣ କରିଥିଲେ । ରାଜେଶଙ୍କୁ ତାଙ୍କ ପତ୍ନୀ ବଞ୍ଚାଇବାକୁ ଚେଷ୍ଟା କରିବା ବେଳେ ଶ୍ରୀଭଗବାନ ତାଙ୍କୁ ମଧ୍ୟ ଲୁହା ରଡ୍ ରେ ଆକ୍ରମଣ କରିଥିଲେ । ହତ୍ୟା କରିବା ପରେ ଉଭୟଙ୍କ ମୃତଦେହ ଗାଡିରେ ରଖି ରୋହତକର ଏକ ଶୂନଶାନ ସ୍ଥାନରେ ନେଇ ଫିଙ୍ଗି ଦେଇଥିଲେ ।

ତାପର ଦିନ ରୋହତକ ପୋଲିସ ଶବ ଜବତ କରିଥିଲା । ମାତ୍ର ତାଙ୍କର ପରିଚୟ ଜଣାପଡିନଥିଲା । ଅନ୍ୟପଟେ ରାଜେଶଙ୍କ ତିନି ସନ୍ତାନ ତାଙ୍କ ବାପା-ମାଙ୍କୁ ଘରେ ନପାଇ ପରିବାରଲୋକଙ୍କୁ ଜଣାଇଥିଲେ । ମାତ୍ର ସେମାନେ ମଧ୍ୟ କିଛି କହିପାରିନଥିଲେ । ଏନେଇ ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଜାଣିବାକୁ ପାଇଲା ଯେ ରୋହତକରେ ଏକ ଦମ୍ପତ୍ତିଙ୍କ ଶବ ମିଳିଛି । ପୋଲିସ ରାଜେଶଙ୍କ ଭାଇଙ୍କୁ ନେଇ ସେଠାରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । ଘଟଣା ପରେ ଶ୍ରୀଭଗବାନ ଫେରାର ଥିଲା । ଛାନଭିନ୍ ପରେ ପୋଲିସ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.