ମଝି ସଡକରେ ଯୁବକଙ୍କୁ ଲୁହାଛଡରେ ପିଟୁଥିଲେ ଯୁବତୀ, ଦେଖଣାହାରୀ ମୋବାଇଲରେ ସୁଟିଂ କରୁଥିଲେ ଭିଡିଓ

Published By : Prameya-News7 Bureau | June 26, 2019 IST

ଚଣ୍ଡିଗଡ: ହଜିଯାଉଛି ମଣିଷର ମାନବିକତା। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଚଣ୍ଡିଗଡ ଟ୍ରିବ୍ୟୁନ ଛକରେ। ଜଣେ ଯୁବକଙ୍କୁ ଯୁବତୀ ଲୁହାଛଡରେ ଆକ୍ରମଣ କରି ଲହୁଲୁହାଣ କରୁଥିବା ବେଳେ ଘଟଣା ଦେଖିବାକୁ ଜମିଥିଲେ ଶହଶହ ଲୋକ। ହେଲେ ଭିଡ ଭିତରୁ କେହି ଜଣେ ବି ଆଗକୁ ଯାଇ ଯୁବତୀଙ୍କୁ ଏଥିରୁ କ୍ଷାନ୍ତ କରାଇଥିଲେ ନା ଯୁବକଙ୍କୁ ଉଦ୍ଧାର କରିଥିଲେ। ତେବେ ଦୀର୍ଘ ୧୦ ମିନିଟ ଧରି ରୋଡ ଉପରେ ଚାଲିଥିବା ଲାଇଭ ଆକ୍ସନର ଲୋକେ ନିଜନିଜ ମୋବାଇଲ ଫୋନରେ ଭିଡିଓ ରେକର୍ଡ କରିବାରେ ଲାଗିଥିଲେ।  ଏହି ଘଟଣାକୁ ନେଇ ଟ୍ରିବ୍ୟୁନ ଛକରେ ଦୀର୍ଘ ୧ ଘଣ୍ଟା ଧରି ଜାମ ଲାଗି ରହିବା ଯୋଗୁ ଟ୍ରାଫିକ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା। ଏଣୁ ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିବା  ବେଳେ ଯୁବତୀଙ୍କୁ ତାଙ୍କ ଗାଡିସହ ଥାନାକୁ ଧରିନେଇଥିଲା।

ଘଟଣାରୁ ପ୍ରକାଶ ଯେ ଚଣ୍ଡିଗଡ ପିଜିଆଇରେ ଭର୍ତ୍ତି ରୋଗୀଙ୍କୁ ଦେଖି କାରରେ ପରିବାର ସହ ଫେରୁଥିବା ୨୯ ବର୍ଷ ବୟସ୍କ ନିତିଶ କୁମାର ଟ୍ରିବ୍ୟୁନ ଛକରେ ପହଞ୍ଚିବା ବେଳେ ରଙ୍ଗସାଇଡରେ ଏକ କାର ରିଭର୍ସ କରୁଥିଲା। ଫଳରେ ଛକରେ ଟ୍ରାଫିକ  ସମସ୍ୟା ଦେଖା ଦେଇଥିଲା। ଏଥିରେ ନିତିଶ କାରରୁ ଓହ୍ଲାଇ ରିଭର୍ସ କରୁଥିବା କାରକୁ ରାସ୍ତା କଡକୁ ନେଇଯିବାକୁ କହିଥିଲେ। ସେହି କାରରେ ୨ ଜଣ ଯୁବତୀଙ୍କ ସମେତ ଜଣେ ପୁରୁଷ ଥିଲେ। ତେବେ ନିତିଶଙ୍କୁ ଏଭଳି କହିବାକୁ ସେ କିଏ ବୋଲି ପ୍ରଶ୍ନ କରିଥିଲେ କାରରେ ବସିଥିବା ଜଣେ ଯୁବତୀ। ଏହି କଥାକୁ ନେଇ କଥାକଟାକଟି ହେବାର ଯୁବତୀ ଉତ୍ତେଜିତ ହୋଇ ନିଜ କାରରୁ ଏକ ଲୁହାଛଡ ଆଣି ନିତିଶଙ୍କୁ ନିସ୍ତୁକ ପିଟିବାରେ ଲାଗିଥିଲେ। ଘଟଣା ଦେଖିବାକୁ ଲୋକଙ୍କ ଭିଡ ଜମି ଯାଇଥିଲା ଓ ଲୋକେ ଘଟଣାକୁ ଖାଲିଆଖିରେ ନ ଦେଖିନିଜ ମୋବାଇଲର ଭିଡିଓ ରେକର୍ଡରରେ ଦେଖିବାରେ ଲାଗିଥିଲେ। ଭୁଲିଯାଇଥିଲେ ସେମାନଙ୍କୁ ବୁଝେଇସୁଝେଇ ମାରପିଟ ରୋକିବାକୁ।

ତେବେ ଇଣ୍ଡଷ୍ଟ୍ରିଆଲ ଏରିଆ ପୋଲିସ ପହଞ୍ଚି ଗୁରୁତର ଆହତ ନିତିଶଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ରାସ୍ତା ମଝିରେ ଗୁଣ୍ଡାଗର୍ଦ୍ଦି ପାଇଁ ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରିଛି। ଗିରଫ ଯୁବତୀ ହେଲେ ଚଣ୍ଡିଗଡ ଫେଜ୍-୧୦ ନିବାସୀ ଶିତଲ ଶର୍ମା ବୋଲି ଥାନା ଆଇଆଇସି ଜଶବୀର ସିଂ କହିଛନ୍ତି । ତାଙ୍କ କାରକୁ ମଧ୍ୟ ପୋଲିସ ଜବତ କରିଛି। ଘଟଣାଟି ମଙ୍ଗଳବାର ଅପରାହ୍ଣ ପ୍ରାୟ ସାଢେ ୫ଟା ବେଳେ ହୋଇଥିବା ବେଳେ ପୋଲିସ ବୁଧବାର ଶିତଲଙ୍କୁ କୋର୍ଟ ଚାଲାଣ କରିଛି। ତେବେ ଘଟଣାର ଏହି ଭିଡିଓ ଏବେ ଚଣ୍ଡିଗଡ ସହରରେ ଭାଇରାଲ ହେବାରେ ଲାଗିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.