କ୍ରିକେଟ୍ ଖେଳୁଥିବାବେଳେ ଯୁବ ଟିଟିଇଙ୍କ ମୃତ୍ୟୁ
6/04/2019 at 1:45 PM

ଖୋର୍ଦ୍ଧା ୬|୪ : କ୍ରିକେଟ୍ ଖେଳୁଥିବାବେଳେ ଯୁବ ଟିଟିଇଙ୍କର ମୃତ୍ୟୁ ହୋଇଛି । ଆସନ୍ତା ୭ ତାରିଖରେ ହେବାକୁ ଥିବା ପୂର୍ବତଟ ରେଳପଥ ପକ୍ଷରୁ ସ୍ଥାନୀୟ ଖୋର୍ଦ୍ଧା ରୋଡ୍ ରେଳ ଷ୍ଟାଡିୟମରେ ଇଣ୍ଟର ଡିପାର୍ଟମେଣ୍ଟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଅଭ୍ୟାସ ମ୍ୟାଚ ଖେଳୁଥିବାବେଳେ କମର୍ସିଆଲ ଡିପାର୍ଟମେଣ୍ଟର ଯୁବ ଟିଟିଇ ଅଜିତ ସିଂହ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କ ସହ ଖେଳାଳୀମାନେ ସ୍ଥାନୀୟ ପୁର୍ବତଟ ରେଳବାଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ମୃତ ଟିଟିଇଙ୍କ ଘର ବିହାରର ଭାଗଲପୁର ଜିଲ୍ଲା ଠକର ଅଞ୍ଚଳ ବୋଲି ଜଣାପଡିଛି। ମୃତ ଟିଟିଇ ଅଜିତ ସିଂହ ଭୁବନେଶ୍ବର ରେଳ ଷ୍ଟେସନରେ ଦୀର୍ଘ ଚାରି ବର୍ଷ ହେବ କାର୍ଯ୍ୟ କରୁଥିଲେ। ତାଙ୍କ ମୃତ୍ୟୁରେ ଖୋର୍ଦ୍ଧାରୋଡ୍ ଟିକେଟ୍ ଚେକିଙ୍ଗ ଷ୍ଟାଫ୍ ଅର୍ଗାନାଇଜେସନ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି ।