ପକ୍ଷୀଙ୍କୁ ଗାଁ ମୁହାଁ କରିବାକୁ ପ୍ରୟାସ, ୨୫ଟି ଗାଁରେ ତିଆରି କଲେଣି ହଜାରରୁ ଅଧିକ ବସା

Published By : Prameya-News7 Bureau | August 03, 2020 IST

ପାଟଣା ୩।୮: ପକ୍ଷୀଙ୍କ ପ୍ରେମରେ ଯୁବଗୋଷ୍ଠୀ । ପକ୍ଷୀଙ୍କୁ ଗାଁମୁହାଁ କରିବାକୁ ୨୫ଟି ଗାଁରେ ତିଆରି କଲେଣି ୧ ହଜାରରୁ ଅଧିକ ବସା । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଜଡିଚାତର ଗାଁର ଯୁବକମାନେ ଏମିତି ଏକ ଭିନ୍ନ ପ୍ରୟାସ ଆରମ୍ଭ କରିଛନ୍ତି । ବିଭିନ୍ନ ସ୍ଥାନରୁ କୁଟା, କାଠି, ଘାସ, ପତ୍ର ସଂଗ୍ରହ କରୁଛନ୍ତି । ଏସବୁକୁ ଏକାଠି କରି ସେମାନେ ପକ୍ଷୀମାନଙ୍କ ପାଇଁ ବସା ତିଆରି କରୁଛନ୍ତି । ଏହି ଚଢେଇ ବସାକୁ ଗାଁ ପାଖ ବିଭିନ୍ନ ଗଛଡାଳରେ ସେମାନେ ସୁରକ୍ଷିତ ଭାବେ ସ୍ଥାପନ କରୁଛନ୍ତି  । ପକ୍ଷୀମାନେ ସେଠାରେ ବାସ କରୁଥିବା ମଧ୍ୟ ଲକ୍ଷ୍ୟ କରାଯାଉଛି । ଯାହାକୁ ନେଇ ଉତ୍ସାହତି ହୋଇ ପଡିଛନ୍ତି ଯୁବଗୋଷ୍ଠୀ  ।

ପ୍ରଥମେ ସ୍ବେଚ୍ଛାସେବୀ ସଂଗଠନ ପିକକ୍ ପରିବେଶ ସନ୍ତୁଳନ ଉପରେ କାମ ଆରମ୍ଭ କରିଥିଲା । ୨୦୧୭ରେ ଆରମ୍ଭ ହୋଇଥିଲା ବିଲୁପ୍ତପ୍ରାୟ ପକ୍ଷୀଙ୍କ ବଂଶବୃଦ୍ଧି ଦିଗରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଲକ୍ ଡାଉନ୍ ସମୟରେ କୃତ୍ରିମ ଚଢେଇ ବସା ତିଆରି ପାଇଁ ପାଟଣା ବ୍ଲକର ୨୫ଟି ଗାଁରେ ଯୁବକମାନଙ୍କୁ ଏହି ସଂସ୍ଥା ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି । ଏଥିରେ ଅନୁପ୍ରାଣିତ ହୋଇ ଯୁବକମାନେ ଏକ ହଜାର କୃତ୍ରିମ ଚଢେଇ ବସା ତିଆରି କରି ବିଭିନ୍ନ ଗଛରେ ଲଗାଇଛନ୍ତି ।

ଯୁବକମାନେ ବାଡି, ବଗିଚା,ଗଛ ଆଦିରେ ରଖି ପକ୍ଷୀମାନଙ୍କୁ ଆକୃଷ୍ଟ କରୁଛନ୍ତି । ଆଉ ଏବେ ଶତାଧିକ ଚଢେଇ ବସାରେ ପକ୍ଷୀମାନେ ବସବାସ କରିବା ଅଞ୍ଚଳବାସୀଙ୍କୁ ବେସ  ଉତ୍ସାହିତ କରିଛି । ଯୁବ ଗୋଷ୍ଠୀ ଙ୍କ ଏପରି ପ୍ରୟାସ ଯୋଗୁ ଗାଁ ଗାଁରେ ପୁଣି ଶୁଭୁଛି ପକ୍ଷୀଙ୍କ କିଚିରି ମିଚିର ଶବ୍ଦ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.