କ୍ବାରେଣ୍ଟାଇନ୍ ସେଣ୍ଟରରୁ ଖସି ଗାଁକୁ ପଳାଇଲେ ଯୁବକ, ରିପୋର୍ଟ ପଜିଟିଭ୍ ଆସିବା ପରେ ଏବେ ବିପଦରେ ସାରା ଗାଁ

Published By : Prameya-News7 Bureau | April 25, 2020 IST

ଆଲିଗଡ ୨୫।୪: ଉତ୍ତରପ୍ରଦେଶ ଆଲିଗଡ ଥାନା ଅଞ୍ଚଳରେ ଜଣେ ଯୁବକ ସାରା ଗାଁକୁ ସମସ୍ୟାରେ ପକାଇଛନ୍ତି । ସମଗ୍ର ଗ୍ରାମବାସୀ ଏବେ କରୋନା ଭାଇରସ୍ ଆତଙ୍କରେ ପଡିଛନ୍ତି । ଜଣେ ଯୁବକ ନୋଏଡାର କ୍ବାରେଣ୍ଟାଇନ୍ ସେଣ୍ଟରରୁ ଆଲିଗଡକୁ ପଳାଇ ଯାଇଥିଲେ । ପରେ ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ବୋଲି ଜଣାପଡିଛି ।

କରୋନା ସନ୍ଦେହରେ ଗ୍ରେଟର ନୋଏଡାର ଗାଲଗୋଟିଆ ଇନଷ୍ଟିଚ୍ୟୁଟର କ୍ବାରେଣ୍ଟାଇନ୍ ସେଣ୍ଟରରେ ଯୁବକଙ୍କୁ ରଖାଯାଇଥିଲା । ସେ ସେଠାରୁ ଖସି ପଳାଇଥିଲେ । ଆଲିଗଡର ଖୈର ଅଞ୍ଚଳରେ ଥିବା ମୈର ଗାଁକୁ ଆସିଥିଲେ । ଏହାପରେ ସେହି ଯୁବକଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା । ସୂଚନା ପାଇବା ମାତ୍ରେ ଏକ ଟିମ୍ ଯୁବକଙ୍କୁ ଧରିବା ପାଇଁ ତାଙ୍କ ଗାଁରେ ପହଞ୍ଚିଥିଲେ ।

କ୍ବାରେଣ୍ଟାଇନର ଲୋକମାନେ ତାଙ୍କ ଘରେ ପହଞ୍ଚି ଯୁବକଙ୍କୁ ନୋଏଡାକୁ ଫେରାଇ ଆଣିଛନ୍ତି । ସେତେବେଳକୁ କରୋନା ପଜିଟିଭ ଯୁବକ ପରିବାର ସଦସ୍ୟଙ୍କ ସହ ସଂସ୍ପର୍ଶରେ ଆସିଥିଲେ । ଏହାପରେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ପରିବାର ସମେତ ଗାଁର ୯ ଜଣଙ୍କୁ ଛେରାଟରେ ଥିବା ଆଇସୋଲେସନ ସେଣ୍ଟରରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କ୍ବାରେଣ୍ଟାଇନ୍ କରାଯାଇଛି । ଏହାସହ ସମଗ୍ର ଗାଁକୁ ମଧ୍ୟ ସାନିଟାଇଜ୍ କରାଯାଇଛି ।

ସୂଚନାଯୋଗ୍ୟ ଯେ, କରୋନା ରୋଗୀଙ୍କର ବୟସ ୩୭ ବର୍ଷ । ସେ ନୋଏଡାର ଏକ ଢାବାରେ କାମ କରୁଥିଲେ । ଅନେକ ଦିନ ଧରି ସେ କରୋନା ରୋଗର ଲକ୍ଷଣ ଦେଖିବାକୁ ପାଇଥିଲେ । ଯାହାପରେ ତାଙ୍କୁ କରୋନା ସନ୍ଦେହରେ ନୋଏଡାର କ୍ବାରେଣ୍ଟାଇନ୍ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.