ଟିକଟକ୍ ଭିଡିଓ କରିବାକୁ ଯୁବକଙ୍କ ବେକରେ ରଶି ଲଗାଇ ଗଛରେ ଝୁଲାଇ ଦେଲା ସମ୍ପର୍କୀୟ ଦାଦା , ତା’ପରେ…

Published By : Prameya-News7 Bureau | November 02, 2019 IST

ଜିନ୍ଦ ୨/୧୧: ହରିୟାଣାର ଜିନ୍ଦରେ ଟିକ୍ ଟକ୍ ଭିଡିଓ କରିବାକୁ ନେଇ ଜଣେ ଯୁବକଙ୍କୁ ଗଛରେ ଦଉଡ଼ିରେ ଝୁଲାଇବାର ମାମଲା ସାମନାକୁ ଆସିଛି। ଗଛରେ ଝୁଲାଯାଇଥିବା ଦଉଡ଼ି ଛିଣ୍ଡିଯିବାରୁ ଯୁବକଙ୍କ ଜୀବନ ବଞ୍ଚିଯାଇଛି। ଏହି ଘଟଣାଟି ଘଟିଛି ନରଓ୍ବାନା ଥାନାର ଖରଡ଼ଓ୍ବାଲ ଗାଁରେ।

ଯୁବକଙ୍କ ଦାଦାଙ୍କ ଅଭିଯୋଗରେ ପୋଲିସ୍ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛି ଏବଂ ତଦନ୍ତ ଆରମ୍ଭ କରିଛି। ପୋଲିସର କହିବା ଅନୁସାରେ ହରିୟାଣାର ଜିନ୍ଦରେ ଟିକଟକ ଭିଡିଓ କରି ପ୍ରସିଦ୍ଧ ହେବା ପାଇଁ ଜଣେ ବ୍ୟକ୍ତିଙ୍କ ବେକରେ ଦଉଡ଼ି ବାନ୍ଧି ତାଙ୍କ ଗଛ ଉପରେ ଝୁଲାଯାଇଥିଲା। ଏହା ପରେ ସୌଭାଗ୍ୟବଶତଃ ଦଉଡ଼ିଟି ଛିଣ୍ଡିଯାଇଥିଲା।

 ଗଛରୁ ତଳେ ପଡ଼ିବା ପରେ ଯୁବକ ଆହତ ହୋଇଯାଇଥିଲା। ଏହା ପରେ ତାଙ୍କ ପରିବାର ଲୋକେ ତାଙ୍କୁ ନରଓ୍ବାନାର ଏକ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ପୋଲିସ୍ ଜଣେ ଯୁବକ ବିରୋଧରେ ଜୀବନ ନେବାର ଉଦ୍ୟମ ଏବଂ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ନିର୍ଯ୍ୟାତନା ରୋକିବାର ଆଇନ୍ ସମେତ ଅନ୍ୟାନ୍ୟ ଧାରା ଅନୁସା​‌ରେ ମାମଲା ରୁଜୁ କରିଛି।

ପୋଲିସକୁ ମିଳିଥିବା ଅଭିଯୋଗ ଅନୁସାରେ ଯୁବକଙ୍କ ଦାଦା କହିଥିଲେ ଯେ ନେହରା ଗାଁରେ ରହୁଥିବା ରମନ ତା’ର ପୁତୁରା ବିକାଶକୁ ଅକ୍ଟୋବର ୨୨ତାରିଖରେ ଫୋନ୍ କରି ତାକୁ ପଡ଼ିଆକୁ ଡକାଇଥିଲା। ଏହା ପରେ ରମନ ଟିକଟକ ଭିଡିଓ ପାଇଁ ବିକାଶକୁ ଗଛରେ ବେକରେ ଦଉଡ଼ି ଦେଇ ଝୁଲିବାକୁ କହିଥିଲା। ପୁତୁରା ମନା କରିବାରୁ ତାକୁ ତା’ର ଜାତିକୁ ନେଇ ଗାଳିଗୁଲଜ କରିଥିଲା।

ଏହା ପରେ ଡରି ଯାଇ ପୁତୁରା ବିକାଶ ବେକରେ ଦଉଡ଼ି ଦେଇ ଗଛରେ ଝୁଲି ଯାଇଥିଲା। ଏହା ପରେ ରମନ ତା’ର ଟିକ ଟକ୍ ଭିଡିଓ କରିଥିଲା। ସେହି ସମୟରେ ଦଉଡ଼ି ଛିଣ୍ଡିଯାଇଥିଲା ଏବଂ ବିକାଶ ତଳେ ପଡ଼ିଯାଇଥିଲା। ତଳେ ଖସି ପଡ଼ିବାରୁ ତାକୁ ଆଘାତ ଲାଗିଥିଲା। ତାକୁ ନିଃଶ୍ବାସ ନେବାକୁ କଷ୍ଟ ହୋଇଥିଲା। ଅଭିଯୋଗ ଅନୁସାରେ ରମନ ତା’ ପୁତୁରା ବିକାଶକୁ ଜୀବନରେ ମାରି ଦେବାକୁ ଚାହୁଁଥିଲା। ପୋଲିସ୍ ଖୁବ୍ ଶୀଘ୍ର ରମନକୁ ଗିରଫ କରି ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.