ବିଦ୍ୟୁତ୍‌ ଆଘାତରେ ଯୁବକଙ୍କ ମୃତ୍ୟୁ ଘଟଣା, ମରାମତି ପାଇଁ ଡାକିଥିବା ବ୍ୟକ୍ତିଙ୍କ ଘର ସମ୍ମୁଖରେ ମୃତ ଦେହ ରଖି କ୍ଷତିପୂରଣ ଦାବି

Published By : Prameya-News7 Bureau | July 24, 2021 IST

ବାଲିପାଟଣା, ୨୪.୭: ଗତକାଲି ଅର୍ଥାତ୍‌ ଶୁକ୍ରବାର ଅପରାହ୍ନରେ ବିଦ୍ୟୁତ୍‌ ଆଘାତ ଲାଗି ବାଳକାଟି ଦିପୋଟି ସାହିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ସେ ଜଣେ ବିଦ୍ୟୁତ୍‌ ବିଭାଗର କର୍ମଚାରୀ । ଜଣେ ବ୍ୟକ୍ତିଙ୍କ ଘରକୁ ସଂଯୋଗ ହୋଇଥିବା ତାର ମରାମତି ସମୟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିଲା ।

ଏହାକୁ ନେଇ ଆଜି ତାର ମରାମତି କରିବାକୁ ଡାକିଥିବା ଗୃହକର୍ତ୍ତାଙ୍କ ଘର ସାମ୍ନାରେ ଯୁବକଙ୍କ ମୃତ ଦେହ ରଖି କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ । ଶତାଧିକ ଗ୍ରାମବାସୀ ଉକ୍ତ ବ୍ୟକ୍ତିଙ୍କ ଘର ସାମ୍ନାରେ ରୁଣ୍ଡ ହେବା ସହ ହୋ -ହାଲ୍ଲା କରିଛନ୍ତି । ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହୋଇଛି । ଅନ୍ୟଥା କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ମୃତ ଦେହ ରଖି ଏପରି ବସି ରହିବେ ବୋଲି ଗ୍ରାମବାସୀ ରୋକ୍ ଠୋକ ଜଣାଇଛନ୍ତି । 

ଗ୍ରାମର ଜୈନ ମହାପାତ୍ର ନିଜର ବିଦ୍ୟୁତ୍‌ ତାର ମରାମତି କରିବା ପାଇଁ ଠିକା ବିଦ୍ୟୁତ୍‌ କର୍ମଚାରୀ ବିଷ୍ଣୁ ଚରଣ ରାଉତଙ୍କୁ ଡାକିଥିଲେ । ପରେ ତାର ମରାମତି କରୁଥିବା ସମୟରେ ବିଦ୍ୟୁତ୍‌ ଆଘାତରେ ବିଷ୍ଣୁଙ୍କର ଜୀବନ ଯାଇଥିଲା । ଶନିବାର ଶବ ବ୍ୟବଛେଦ ହୋଇ ମୃତ ଦେହ ଗ୍ରାମରେ ପହଁଞ୍ଚିବା ପରେ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଉତ୍ୟକ୍ତ ଗ୍ରାମବାସୀ ମୃତ ଦେହକୁ ଜୈନ ମହାପାତ୍ରଙ୍କ ଘର ସମ୍ମୁଖରେ ରଖି ବିଷ୍ଣୁଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି । ଫଳରେ ଗ୍ରାମରେ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.