ନାବାଳିକା ପ୍ରେମିକାଙ୍କୁ ଫେରାର କରି ନେଇଯିବାକୁ ଗାଁରେ ପହଞ୍ଚିଲା ପ୍ରେମିକ: ହାବୁଡରେ ପଡିଗଲେ, ଖୁଣ୍ଟରେ ବାନ୍ଧି ରାତିସାରା ମାଡ ମାରିଲେ ଗାଁ ଲୋକ

Published By : Prameya-News7 Bureau | September 13, 2020 IST

ଅରରିଆ ୧୩।୦୯: ବିହାରର ଅରରିଆ ଜିଲ୍ଲାରେ ଜଣେ ନାବାଳିକା ଯୁବତୀଙ୍କୁ ଫେରାର କରି ନେଇଯିବା ପାଇଁ ପହଞ୍ଚିଥିବା ଯୁବକ ଗାଁ ଲୋକଙ୍କ ହାତରେ ଧରା ପଡି ଛେଚା ଖାଇଛନ୍ତି। ଗାଁ ଲୋକ ଓ ଯୁବତୀଙ୍କ ପରିବାର ଲୋକ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ରାତିସାରା ମାଡ ମାରିଛନ୍ତି। ଏହି ଘଟଣା ରାନୀଗଞ୍ଜ ଥାନା ଅନ୍ତର୍ଗତ ପରସାହାଟ ପଞ୍ଚାୟତ ସ୍ଥିତ ଏକ ଗାଁରେ ଶନିବାର ବିଳମ୍ଵିତ ରାତିରେ ଘଟିଛି। ଏପଟେ ସୂଚନା ପାଇ ରାନୀଗଞ୍ଜ ଥାନା ପୋଲିସ ଗାଁରେ ପହଞ୍ଚି ଯୁବକଙ୍କୁ ନିଜ କବ୍‌ଜାକୁ ନେବାକୁ ଉଦ୍ୟମ କରିଥିଲେ ମଧ୍ୟ ଉତ୍ତେଜିତ ଗାଁ ଲୋକେ ଏମିତି ହେବାକୁ ଦେଇନଥିଲେ।

ରବିବାର ସକାଳେ ସ୍ଥାନୀୟ ଜନପ୍ରତିନିଧି ଏବଂ ପୋଲିସ ମଧ୍ୟରେ ଆଲୋଚନା ପରେ ଯୁବକଙ୍କୁ ମୁକ୍ତ କରାଯାଇଥିଲା। ଏହା ପରେ ପୋଲିସ ଆହତ ଯୁବକଙ୍କ ଚିକିତ୍ସା ପାଇଁ ରାନୀଗଞ୍ଜ ରେଫରାଲ ହସ୍ପିଟାଲରେ ଭର୍ତ୍ତି କରାଇଛି। ଯୁବକଙ୍କ ନା ସନ୍ତୋଷ ଯାଦବ। ସେ ବଗୁଲାହା ଓ୍ଵାର୍ଡ ୩ର ମହାକାନ୍ତ ଯାଦବଙ୍କ ପୁଅ।

ଘଟଣାକୁ ସମାଧାନ କରିବା ଏବଂ ଯୁବକଙ୍କୁ ବଞ୍ଚାଇବାରେ ବଗୁଲହାର ସରପଞ୍ଚ ଭବେଶ କୁମାର ଓରଫ ପପୁ, ଗୌରବ ଯାଦବ ଓ ଅନ୍ୟ ଜନପ୍ରତିନିଧିଙ୍କ ଭୂମିକା ରହିଛି।

କଣ ମାମଲା

ଯୁବକ ସନ୍ତୋଷ ଯାଦବଙ୍କ ପରସାହାଟ ପଞ୍ଚାୟତର ଏକ ଗାଁର ଯୁବତୀଙ୍କ ସହିତ ପ୍ରେମ ସଂପର୍କ ଥିଲା। ଗତ ଜୁଲାଇ ମାସରେ ସନ୍ତୋଷ ଯାଦବ ଯୁବତୀଙ୍କୁ ନେଇ ଫେରାର ହୋଇ ଯାଇଥିଲା। ଏହା ପରେ ଯୁବତୀଙ୍କ ବାପା ରାନୀଗଞ୍ଜ ଥାନାରେ ସନ୍ତୋଷ ଯାଦବ, ତାଙ୍କ ଭେଣୋଇ ରମନ ଯାଦବ ଓ ମା ସବିତା ଦେବୀଙ୍କ ବିରୋଧରେ ନାବାଳିକା ଝିଅକୁ ଅପହରଣ କରାଇ ନେଇଥିବା ଏଫଆଇଆର ଦେଇଥିଲେ।

ଏହି ମାମଲାରେ ରାନୀଗଞ୍ଜ ପୋଲିସ ମାମଲା ରୁଜୁ କରି ଅଗଷ୍ଟ ୧୭ରେ ନାବାଳିକା ଯୁବତୀଙ୍କୁ ରାନୀଗଞ୍ଜ ବସ ଷ୍ଟାଣ୍ଡରୁ ଧରିଥିଲା। କୋର୍ଟରେ ଯୁବତୀଙ୍କ ବୟାନ ପରେ ଯୁବତୀଙ୍କୁ ତାଙ୍କ ମା ଓ ବାପାଙ୍କ ହାତରେ ହସ୍ତାନ୍ତର କରାଯାଇଥିଲା। ଏହା ମଧ୍ୟରେ ଶନିବାର ବିଳମ୍ବିତ ରାତ୍ରିରେ ସନ୍ତୋଷ ଯାଦବ ଯୁବତୀଙ୍କ ଘରେ ପହଞ୍ଚି ପୁଣି ଥରେ ଯୁବତୀଙ୍କୁ ଧରି ଫେରାର ମାରିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ସନ୍ତୋଷ ଯାଦବଙ୍କୁ ଯୁବତୀଙ୍କ ପରିଜନ ଓ ଅନ୍ୟ ଗାଁ ଲୋକ ଧରି ପକାଇଥିଲେ। ଏହା ପରେ ଯୁବକଙ୍କୁ ଖୁଣ୍ଟରେ ହାତଗୋଡ ବାନ୍ଧି ରାତିସାରା ମାଡ ମାରିଥିଲେ। ଯୁବକଙ୍କ ସ୍ଥିତି ଗୁରୁତର ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.