ପ୍ରେମରେ ପ୍ରତାରଣା : ପ୍ରେମିକ ଦୁଆରେ ପ୍ରେମିକା, ନ୍ୟାୟ ପାଇଁ ଦେଇଛି ଧାରଣା

Published By : Prameya-News7 Bureau | April 13, 2021 IST

ନୟାଗଡ ୧୩।୪: ନ୍ୟାୟ ପାଇଁ ପ୍ରେମିକ ଦୁଆରେ ଦୁଇ ଦିନ ହେଲା ଧାରଣାରେ ବସିଛି ପ୍ରେମିକା । ପ୍ରେମିକର ପରିବାର ଘରେ ପୁରାଇ ଦେବେନାହିଁ ବୋଲି ଜିଦ୍‌ ଧରିଥିବାବେଳେ ଗ୍ରାମବାସୀ ସମାଧାନ କରିବାକୁ ଚେଷ୍ଟା କରି ବିଫଳ ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଓଡଗାଁ ଥାନା ଭାଡିକିଳା ଗାଁରେ ।

ସୂଚନାଯୋଗ୍ୟ ଯେ, ଭାଡିକିଳା ଗାଁର ଯୁବକ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ଏକ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ । ସେଠାରେ ଶିଶୁପୁର ଗାଁର ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା । ବିବାହର ପ୍ରଲୋଭନ ଦେଖାଇ ଯୁବକ ଜଣଙ୍କ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ଯୁବକଙ୍କ ପରିବାର ଲୋକ ଏ ସମ୍ପର୍କରେ ଜାଣିବା ପରେ ତାଙ୍କର ରାଉରକେଲାକୁ ବଦଳି କରାଇଦେଇଥିଲେ । ଏହାପରେ ଯୁବତୀଙ୍କ ସହ ସମ୍ପର୍କ ରଖିନଥିଲା । ଏପରିକି ଯୁବତୀଙ୍କ ଫୋନ୍‌ ନମ୍ବରକୁ ବ୍ଲକ୍ କରିଦେଇଥିଲା ବୋଲି ଯୁବତୀ ଜଣଙ୍କ କହିଛନ୍ତି ।

ତେବେ ଯୁବକଙ୍କ ଆଧାର କାର୍ଡରୁ ଠିକଣା ପାଇ ଗତ ଦୁଇ ଦିନ ତଳେ ଯୁବତୀଜଣଙ୍କ ସାନଭଉଣୀ ସହିତ ଭାଡିକିଳା ଗାଁକୁ ଆସି ଯୁବକଙ୍କୁ ଭେଟିବାକୁ ଚାହିଁଥିଲେ । ଘରେ ଥିଲେ ମଧ୍ୟ ପରିବାର ଲୋକ ତାଙ୍କୁ ଦେଖାଇନଦେବାରୁ ବାଧ୍ୟ ହୋଇ ଯୁବତୀ ଜଣଙ୍କ ତାଙ୍କ ଦୁଆରେ ବସିରହିଥିଲେ । ଗ୍ରାମବାସୀ ଏ ସମ୍ପର୍କରେ ଜାଣିବା ପରେ ଏହାର ସମାଧାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୁବକଙ୍କ ପରିବାର ସଦସ୍ୟ ଏଥିରେ ରାଜି ହୋଇନଥିଲେ । ଗାଁ ସଭାପତିଙ୍କ ପରାମର୍ଶ ପରେ ସୋମବାର ଯୁବତୀ ଜଣଙ୍କ ଓଡଗାଁ ଥାନାକୁ ଯାଇ ଏ ସମ୍ପର୍କରେ ଅଭିଯୋଗ କରିଥିଲେ । ତେବେ ରାତି ସୁଦ୍ଧା ପୋଲିସ ଗାଁରେ ପହଞ୍ଚିନଥିଲା ।

ମଙ୍ଗଳବାର ସକାଳୁ ପୋଲିସ ଗାଁକୁ ଯାଇ ଉଭୟ ପୁଅ ଏବଂ ଝିଅକୁ ଆଣି ଥାନାରେ ବସାଇଥିବା ସୂଚନା ମିଳିଛି । ନ୍ୟାୟ ନମିଳିଲେ ଯୁବକଙ୍କ ଘର ସାମ୍ନାରେ ଆତ୍ମାହୁତି ଦେବେ ବୋଲି ଯୁବତୀ ଜଣଙ୍କ କହିଥିବାବେଳେ ତାକୁ ଘରେ ପୁରାଇବେ ନାହିଁ ବୋଲି ଯୁବକଙ୍କ ବାପା କହିଛନ୍ତି । ସେପଟେ ଝିଅକୁ ନ୍ୟାୟ ମିଳିବା ଦରକାର ବୋଲି ଗ୍ରାମବାସୀ କହିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.