ବାଂଲାଦେଶରୁ ଆସି ଦେହ ବ୍ୟବସାୟ : ଯାଜପୁରରୁ ଉଦ୍ଧାର ହେଲେ ଯୁବତୀ

Published By : Prameya-News7 Bureau | June 22, 2021 IST

ଯାଜପୁର ୨୨।୬: ବାଂଲାଦେଶରୁ ଆସି ଭାରତରେ ଦେହ ବ୍ୟବସାୟ କରୁଥିବା ଯୁବତୀ ଯାଜପୁରରେ ଠାବ । ଯୁବତୀ ଜଣକୁ ଦେହ ବ୍ୟବସାୟରେ ନିୟୋଜିତ କରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଯୁବତୀ ଜଣଙ୍କୁ ଯାଜପୁର ୱାନଷ୍ଟପ ସଖୀ କେନ୍ଦ୍ରରେ ରଖାଯାଇଛି ।

ଅଭିଯୋଗ ଅନୁଯାୟୀ, ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ଅଜୟ ଦାସ ନାମକ ବ୍ୟକ୍ତି ଯୁବତୀ ଜଣଙ୍କୁ କୋଲକାତାରେ ଏକ ହୋଟେଲରେ ଦେହ ବ୍ୟବସାୟ କରିବା ପାଇଁ ବିକ୍ରି କରିଦେଇଥିଲେ । ପରେ ଅଜୟଙ୍କ ପୁଅ ସୁରଜ ଏବଂ ସଂପୃକ୍ତ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା ।  ଉଭୟ ସୁରଜ ଓ ଯୁବତୀ ବେଙ୍ଗାଲୁରୁରେ ଦୀର୍ଘ ବର୍ଷେ କାଳ ରହିଥିଲେ । ଏକଥା ବାପା ଅଜୟ ଜାଣିବା ପରେ ପୁଅ ଏବଂ ଯୁବତୀଙ୍କୁ ଆଣି ଧର୍ମଶାଳା ଅଞ୍ଚଳରେ ଜଣଙ୍କ ଘରେ ରଖିଥିଲେ । ଭୟରେ ଯୁବତୀ ଜଣଙ୍କ ସବୁକଥା ଘର ମାଲିକଙ୍କୁ କହିବା ପରେ ପୋଲିସକୁ ଖବର ଦିଆଯାଇଥିଲା । ଧର୍ମଶାଳା ପୋଲିସ ଯୁବତୀଙ୍କୁ ଉଦ୍ଧାର କରି ଯାଜପୁର ୱାନଷ୍ଟପ ସଖୀ କେନ୍ଦ୍ରରେ ଛାଡିଛି ।  ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅଜୟ ଦାସଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ପୋଲିସ ଯୁବତୀଙ୍କୁ ଧରି ତଦନ୍ତ ଜାରି ରଖିଥିବା ବେଳେ ଯୁବତୀ ଜଣଙ୍କ ନିଜ ଘରକୁ ଚାଲିଯିବାକୁ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.