ମାସେ ଯାଏଁ କରୋନା ସହ ସଂଗ୍ରାମ କରିବା ପରେ ପ୍ରାଣ ହରାଇଲେ ଯୁବ ଡାକ୍ତର
27/07/2020 at 5:31 PM

ନୂଆଦିଲ୍ଲୀ ୨୭/୦୭ : ଦିଲ୍ଲୀ ସରକାରୀ ହସ୍ପିଟାଲ ବାବା ସାହେବ ଆମ୍ବେଦକର ହସ୍ପିଟାଲରେ ୨୮ ବର୍ଷ ବୟସ୍କ ଯୁବ ଡାକ୍ତର ଡ.ଜୋଗିନ୍ଦର ଚୌଧୁରୀ କରୋନାରେ ପ୍ରାଣ ହରାଇଛନ୍ତି | ଜୁନ ୨୭ ତାରିଖରେ ସେ କରୋନା ସଂକ୍ରମିତ ହୋଇଥିଲେ | ଗତ ବର୍ଷ ନଭେମ୍ବର ମାସରେ ଜୋଗିନ୍ଦର ହସ୍ପିଟାଲର କାଜୁଆଲଟି ବିଭାଗରେ ଜଏନ କରିଥିଲେ | ଜୁନିଅର ଡାକ୍ତର ଗଙ୍ଗରାମ ହସ୍ପିଟାଲର ଆଇସିୟୁ ୱାର୍ଡରେ ଭର୍ତ୍ତି ହୋଇଥିଲେ | ଜୋଗିନ୍ଦରଙ୍କ ବାପା ଜଣେ ଚାଷୀ | ହସ୍ପିଟାଲରେ କୋଭିଡ ଚିକିତ୍ସା ଖର୍ଚ୍ଚ ବହନ କରି ନ ପାରିବାରୁ ହସ୍ପିଟାଲ କର୍ମଚାରୀ ତାଙ୍କୁ ସାହାଯ୍ୟ କରିଥିଲେ |
ଜୋଗିନ୍ଦରଙ୍କ ଚିକିତ୍ସା ପାଇଁ ଅନେକ ଡାକ୍ତର ମଧ୍ୟ ଆର୍ଥିକ ସାହାଯ୍ୟ କରିଥିଲେ | ବାବା ସାହେବ ଆମ୍ବେଦକରର ପାଖାପାଖି ୧୦୦ ଡାକ୍ତର ଜୋଗିନ୍ଦରଙ୍କ ଚିକିତ୍ସା ପାଇଁ ପାଖାପାଖି ୩ ଲକ୍ଷ ଟଙ୍କା ଜମା କରିଥିଲେ | ଜୋଗିନ୍ଦରଙ୍କ ବାପା ହସ୍ପିଟାଲକୁ ଏକ ଚିଠି ମଧ୍ୟ ଲେଖିଥିଲେ | ହସ୍ପିଟାଲ ଖର୍ଚ୍ଚ ବହନ କରିପାରିବେ ନାହିଁ ଏବଂ ହସ୍ପିଟାଲ ବିଲ ମାଫ କରିବାକୁ ଜୋଗିନ୍ଦରଙ୍କ ବାପା ହସ୍ପିଟାଲ ପ୍ରଶାସନକୁ ଚିଠି ଲେଖିଥିଲେ | ଏହାପରେ ହସ୍ପିଟାଲ ନିଷ୍ପତ୍ତି ନେଇଥିଲା ଯେ ଜୋଗିନ୍ଦରଙ୍କ ସମସ୍ତ ଖର୍ଚ୍ଚ ହସ୍ପିଟାଲ ବହନ କରିବା ଯେହେତୁ ସେ ଜଣେ କରୋନା ଯୋଦ୍ଧା | ଜୋଗିନ୍ଦର ପ୍ରଥମେ ଲୋକ ନାୟକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | ପରେ ଜୁଲାଇ ୭ ତାରିଖରେ ସେ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ |
କରୋନା ସଂକ୍ରମଣରେ ଜୀବନ ଯୁଦ୍ଧରେ ହାରିଯାଇଥିବା ଏହା ପ୍ରଥମ ଘଟଣା ନୁହେଁ | ଅନେକ କରୋନା ଯୋଦ୍ଧା ସଂକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି | କିନ୍ତୁ ଜୋଗିନ୍ଦର ସବୁଠାରୁ କମ ବୟସ କରୋନା ଯୋଦ୍ଧା ଯିଏ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି |