ଲକ୍‌ଡାଉନ୍‌ ପାଇଁ ଲାଇଫ୍‌ ଲକ୍‌ : ଜର୍ମାନ ଚିଡିଆଖାନାର ନିଷ୍ପତ୍ତି ଶୁଣିଲେ ଚିନ୍ତାରେ ପଡିଯିବେ ଆପଣ...

Published By : Prameya-News7 Bureau | April 16, 2020 IST

ହାମବର୍ଗ ୧୬।୦୪: କରୋନା ସଂକ୍ରମଣ ଯୋଗୁ ଚିଡିଆଖାନାଗୁଡିକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଥିଲାବେଳେ ଏହାଯୋଗୁ ସେମାନଙ୍କର ବିପୁଳ ଆର୍ଥିକ କ୍ଷତି ହେଉଛି । ଏଭଳି ସ୍ଥିତିରେ ସେଠାରେ ରଖାଯାଉଥିବା ପଶୁପକ୍ଷୀମାନଙ୍କର ଦେଖାଶୁଣା କରିବାରେ ସମସ୍ୟା ଉପୁଜୁଛି । ପଶୁପକ୍ଷୀମାନେ ବି ଖାଦ୍ୟାଭାବର ଶିକାର ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଜର୍ମାନୀର ଏକ ଚିଡ଼ିଆଖାନା ତରଫରୁ କୁହାଯାଇଛି କି ସେମାନେ ସେଠାରେ ରଖାଯାଉଥିବା କିଛି ପଶୁପକ୍ଷୀଙ୍କୁ ମାରି ଅନ୍ୟ କିଛି ପଶୁଙ୍କୁ ଖାଇବାକୁ ଦେବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଏମିତିକି କେଉ କେଉ ପଶୁପକ୍ଷୀମାନଙ୍କୁ ମରାଯିବ, ସେମାନଙ୍କର ତାଲିକା ବି ପ୍ରସ୍ତୁତ କରାଯାଇସାରିଛି ।

ଯଦି ଜର୍ମାନୀ ସରକାର ଚିଡ଼ିଆଖାନା ପରିଚାଳନା ପାଇଁ ଆର୍ଥିକ ସହାୟତା ପ୍ରଦାନ ନକରନ୍ତି, ତାହା ହେଲେ ସେମାନଙ୍କ ପାଖରେ ଏପରି କରିବା ଛଡା ଆଉ କିଛି ବିକଳ୍ପ ବାକି ରହିବ ନାହିଁ । ନେମୁନଷ୍ଟର ଚିଡ଼ିଆଖାନାର ନିର୍ଦ୍ଦେଶକ ଭେରେନା କାସପରି କହିଛନ୍ତି ଯେ ଚିଡିଆଖାନାକୁ ବସନ୍ତ ଋତୁରେ ପର୍ଯ୍ୟଟକମାନେ ନଆସିବା ଯୋଗୁ ୧,୫୨,୪୦୦ ପାଉଣ୍ଡର କ୍ଷତି ହୋଇଛି । ଏହି ଅର୍ଥକୁ ବ୍ୟବହାର କରି ସେମାନେ କିଛି ପଶୁପକ୍ଷୀଙ୍କ ଖାଦ୍ୟ ପାଇଁ ବ୍ୟବସ୍ଥା କରିଥାନ୍ତେ । ସେଠାରେ ରଖାଯାଇଥିବା ପେଙ୍ଗୁଇନ ଏବଂ ସିଲ୍‌ମାନଙ୍କ ପାଇଁ ପ୍ରତିଦିନ ବିପୁଳ ପରିମାଣର ମାଛ ଦରକାର ପଡୁଛି । ସେହିପରି ଚିଡିଆଖାନାରେ ଆଉ କିଛି ବଡ଼ ବଡ଼ ଜୀବ ଅଛନ୍ତି ଯେଉମାନଙ୍କ ପାଇଁ ଖାଦ୍ୟ ଯୋଗାଣ କରିବା ବ୍ୟୟବହୁଳ । କିନ୍ତୁ ଅର୍ଥ ଅଭାବରୁ ଏପରି କରିବା ସମ୍ଭବ ହେଉନାହିଁ । ତେଣୁ ଅଧିକାଂଶ ପଶୁପକ୍ଷୀ ଖାଦ୍ୟାଭାବର ଶିକାର ହେଉଛନ୍ତି ।

ସାଧାରଣତଃ ଗୋଟିଏ ଚିଡିଆଖାନାରେ ପଶୁପକ୍ଷୀମାନଙ୍କର ରକ୍ଷଣାବେକ୍ଷଣରେ କିଛି ସମସ୍ୟା ଦେଖାଦେଲେ ସେଠାରୁ ସେମାନଙ୍କୁ ଅନ୍ୟ ଚିଡିଆଖାନାକୁ ସ୍ଥାନାନ୍ତର କରାଯାଇଥାଏ । କିନ୍ତୁ ଏବେ କରୋନା ଯୋଗୁ ସୀମା ସିଲ୍‌ କରାଯିବା ଏବଂ ଯାତାୟାତ ବନ୍ଦ କରାଯିବା ଯୋଗୁ ଏହା ବି ସମ୍ଭବପର ହେଉନାହିଁ । ସେହିପରି ଏହି ଚିଡ଼ିଆଖାନାରେ କିଛି ଜୀବ ଅଛନ୍ତି ଯେଉମାନଙ୍କୁ ଅନ୍ୟତ୍ର ରଖାଯାଇପାରିବ ନାହିଁ । ଉଦାହରଣ ସ୍ୱରୂପ, ଏଠାରେ ଗୋଟିଏ ମେରୁ ଭାଲୁ ରଖାଯାଇଛି ଯାହାର ଲମ୍ୱ ହେଉଛି ସାଢେ ତିନି ମିଟର । ଏହି ବିଶାଳକାୟ ଭାଲୁକୁ ରଖିବା ପାଇଁ ଦେଶର ଅନ୍ୟ କୌଣସି ଚିଡିଆଖାନାରେ ବ୍ୟବସ୍ଥା ନାହିଁ । ଏସବୁ କାରଣରୁ ଏହି ଚିଡ଼ିଆଖାନାକୁ ସରକାର ତୁରନ୍ତ କିଛି ଆର୍ଥିକ ସହାୟତା ଯୋଗାଇବା ଆବଶ୍ୟକ ହୋଇପଡିଛି । ଚିଡିଆଖାନାର କିଛି କର୍ମଚାରୀ ମଧ୍ୟ ଅଭିଯୋଗ କରିଛନ୍ତି ଯେ ପର୍ଯ୍ୟଟକ ଆସୁନଥିବାରୁ ସେଠାରେ ରଖାଯାଇଥିବା ପଶୁପକ୍ଷୀମାନେ ନିଃସଙ୍ଗ ଅନୁଭବ କରୁଛନ୍ତି । ଏହା ସେମାନଙ୍କ ପାଇଁ ଆଉ ଏକ ସମସ୍ୟା ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.